Unknown

 

 

 

 

 

 

 

 

 

ଆଶା ମଞ୍ଜରୀ

ଶ୍ରୀ ପଦ୍ମଚରଣ ପଟ୍ଟନାୟକ

 

ସୂଚୀପତ୍ର

 

୧.

ଦେବ-ପୂଜା

୨.

ତ୍ରିବେଣୀ ତଟେ

୩.

ଆଷାଢ଼

୪.

ବନ୍ଧୁ-ବିଦାୟ

୫.

କୁମାରପୂର୍ଣ୍ଣିମା

୬.

ସୀତା-ବନବାସ

୭.

ପଲ୍ଲୀ-କୃଷକ

୮.

ଆଶ୍ୱିନ

୯.

ଧଉଳି ପାହାଡ଼

୧୦.

କବି-ସମାଧି

୧୧.

ଖୋରଧା ପ୍ରଥମ ଦର୍ଶନେ

୧୨.

ପୃଥ୍ୱୀରାଜଙ୍କ ପତ୍ର

Image

 

ଦେବ-ପୂଜା

 

ଭକ୍ତ କହିଲା, ‘‘ଦେବତା ! ତୁମର

ତୋଳିବି ଦେଉଳ ସାର,

ହେବ ତା’ ଅତୁଳ ରତନ-ଖଚିତ

ଝୁଲିବ ହୀରକ ହାର;

ସେଥିରେ ରଖିବି ମୂର୍ତ୍ତି ତୁମର

ଚାରୁ ମରକତେ ଗଢ଼ା

ଖଞ୍ଜି ରଖିବି ଅମୃତ ଭୋଗ

ହେବ ଦଶଧୂପେ ବଢ଼ା ।’’

ହସି ହସି ଦେବ କହିଲେ, ‘‘ଭକତ !

ଏହା କି ତୁମର ଭକ୍ତି,

କିପରି ସହିବି ତୁମର ସେ ପୂଜା !

ଭକ୍ତି ଛଳରେ ଶକ୍ତି ।’’

ଭକ୍ତ କାହିଲା, ‘‘କହ ତେବେ ପ୍ରଭୁ !

କେଉଁ ପୂଜା ହେବ ସାର ?’’

ଦେବତା କହିଲେ, ‘‘ଅନାଥ ଆତୁରେ

ପ୍ରେମସୁଧା ନିତି ଢାଳ ।

ସେଥିରେ ମୋହର ହେବ ଯୋଗ୍ୟ ପୂଜା,

ସେଥିରେ ମାନେ ମୋ ମନ;

ଅନାଥ ଆତୁର ଜୀବେ ଯେ ତୋଷଇ

ପ୍ରିୟ ମୋର ସେହି ଜନ ।’’

Image

 

ତ୍ରିବେଣୀତଟେ *

(କାର୍ତ୍ତିକ ପୂର୍ଣ୍ଣିମା-୧୯୧୨ ଖ୍ରୀଷ୍ଟାବ୍ଦ)

 

(୧)

ବଡ଼ ଭାଗ୍ୟଫଳେ, ଭାଇ, + ତବ ଶୁଭ ନିମନ୍ତ୍ରଣେ

ଦେଖିଲି ତ୍ରିବେଣୀତୀର, କାଳେ କାଳେ ଥିବ ମନେ ।

ଅତୀତର ପୁଣ୍ୟସ୍ମୃତି-ପବିତ୍ରିତ ନଦୀ ତୀରେ

ଅତୀତ ଦେଶର ଚିତ୍ର ଦେଖିଲି ତ୍ରିବେଣୀନୀରେ ।

ଉଭା ହେବା ମାତ୍ରେ ପୂର୍ବପୁରୁଷର ଛାୟା ଆସି

ଦେଖୁ ଦେଖୁ କି କୌଶଳେ ବେଗେ ମୋତେ ଦେଲା ଗ୍ରାସି ।

ଦେଖୁଥିଲି ଜଳଲୀଳା ତଟିନୀ ତରଙ୍ଗ ଖେଳ,

ଧର୍ମପ୍ରାଣ ନରନାରୀ ଉଦ୍‌ବେଗ ମଧୁର ମେଳ,

ସରଳ ବୈଷ୍ଣବ ଶିଶୁ କମନୀୟ କୃଷ୍ଣବେଶ,

ଗଳେ ଚାରୁ ବନମାଳା, ପୃଷ୍ଠେ ବିଲମ୍ବିତ କେଶ,

ମସ୍ତକେ ମୁକୁଟ, ଅଙ୍ଗେ କେତେ ଚିତା ମନୋହର,

ନୟନେ କଜ୍ଜ୍ୱଳ, ପୁଣି ଲଲାଟେ ସିନ୍ଦୂରଗାର,

 

କଟିରେ ଘୁଙ୍ଗୁଡ଼ିମାଳ ରୁଣୁଝୁଣୁ ମଧୁସ୍ୱନ,

ହସ ହସ ମୁଖ କ୍ଷଣେ କେତେ ନବ ଉଚ୍ଚାଟନ,

ଦେଖୁଥିଲି ସଦ୍ୟସ୍ନାତ ସରଳା କାମିନୀଦଳ

ପଟ୍ଟବସ୍ତ୍ର ପିନ୍ଧି ଧରି କରେ କେତେ ପୂଜାଥାଳ

ଦେବଦ୍ୱାରେ ଉଭା ହୋଇ ପ୍ରଣମି ଦେବତା ପଦେ

ମାଗୁଥିଲେ କିବା ବର କେତେ ଭକ୍ତିଗଦଗଦେ;

ଶୁଣିଥିଲି ଶତ ଶତ ଭିକ୍ଷୁକର ଆର୍ତ୍ତସ୍ୱର,

ଦୂର ଦେଶାଗତ କେତେ ଯାତ୍ରୀଦଳ-କୋଳାହଳ,

ଏ ସବୁରୁ କିଏ କାହିଁ ହରିନେଲା ମୋର ମନ,

ଦେଖାଇଲା ଆଖି ଆଗେ କେତେ ଛବି ଅଗଣନ,

ଯୁଗଯୁଗାନ୍ତର ଲଙ୍ଘି କେତେ ଦୂରେ ଗଲି ଚାଲି,

କି ଦେଖିଲି କି ଶୁଣିଲି ଏବେ ମୁଁ ନ ପାରେ ଭାଳି ।

 

+

ଭାଇ–ବନ୍ଧୁ ଅଧ୍ୟାପକ ଶ୍ରୀଯୁକ୍ତ କୃତ୍ତବାସ ସାମନ୍ତରାୟ

 

(୨)

ନ ଆଣ ଲୋ ସ୍ମୃତି ଆଜି ସେ ସବୁ ମୋ ପାଶେ ଟାଣି,

ନ ଶୁଣାଅ କାନେ ମୋର ଅତୀତ ଗୌରବ ବାଣୀ,

ନ ଦେଖାଅ ନେତ୍ରେ ମୋର ଏତେ ଗୋଟି ଗୋଟି କରି

ମୁକୁନ୍ଦର ଶୌର୍ଯ୍ୟ, ବୀର୍ଯ୍ୟ, ମୁକୁନ୍ଦ ଦେଶର ଶିରୀ,

ମୁକୁନ୍ଦର ବାହୁବଳ, ଧର୍ମେ କର୍ମେ ଶୁଭମତି,

ପ୍ରାଣେପଣେ ଦେଶସେବା, ଅଦମ୍ୟ ସ୍ୱଜାତି-ପ୍ରୀତି,

ଗୋହିରାର ପୁଣ୍ୟକ୍ଷେତ୍ରେ ଦେବାପାଇଁ ଆତ୍ମବଳି

ବୀରଦର୍ପେ ନାଚି ନାଚି କିପରି ପଡ଼ିଲା ଢଳି,

କିପରି ସେ ଦେଶ ଜିଣି ଆସିଲା ତ୍ରିବେଣୀ-ତୀରେ,

କିପରି ତା’ ଥାଟଛାୟା ପଡ଼ିଲା ଏ ନଦୀନୀରେ,

କିପରି ସେ ପୋତିଥିଲା ଜୟସ୍ତମ୍ଭ ଏହି ଦେଶେ,

କିପରି ହର୍ଯ୍ୟକ୍ଷନେତ୍ରେ ବୁଲୁଥିଲା ବୀରବେଶେ,

କିପରି ସେ ପ୍ରଜାପୁଞ୍ଜେ ପାଳୁଥିଲା ପୁତ୍ର ପରି,

କିପରି ତା’ ନାମ ଶୁଣି ଯାଉଥିଲା ଶତ୍ରୁ ଥରି,

ସରିଛି ସେସବୁ ଆଜି, ଲାଗୁଛି ସ୍ୱପନ ସମ,

ଅଛି ଦେଶ, ନାହିଁ ତହିଁ ମୁକୁନ୍ଦର ପରାକ୍ରମ,

ମୁକୁନ୍ଦର ସିଂହାସନ ଗଲାଣି ତ କାହିଁ ଚାଲି !

ବିଶ୍ୱ ମଧ୍ୟେ ନିଃସ୍ୱ ହୋଇ ରହିଛି ଦେଶଟା ଖାଲି !

ସିଂହର ସଦନେ ଆଜି ରହିଲେ ଶୃଗାଳ ଦଳ !

କେତେ ଦିନେ ହେଲେ ଆହା କେଡ଼େ କ୍ଳୀବ ହୀନବଳ ।

ନିଜ ଛାୟା ନିଜେ ଦେଖି ଭୟରେ ଯାଆନ୍ତି ଥରି,

ଛି ଛି ମୁକୁନ୍ଦର ଦେଶ ହେଲା ଆଜି ଏତେ ସରି !

ବହୁଛି ତ୍ରିବେଣୀ ଆଜି, ରହିଛି ରାଜାଙ୍କ ଘାଟ,

କାହିଁ ସେ ରାଜାଙ୍କ ଦେଶ, କାହିଁ ବା ସେ ରାଜ୍ୟଥାଟ !

 

*

କଲିକତା ନିକଟବର୍ତ୍ତୀ ତୀର୍ଥସ୍ଥାନ । ଏ ସ୍ଥାନରେ ‘ମୁକୁନ୍ଦଘାଟ’ ପ୍ରଭୃତିରୁ ମୁକୁନ୍ଦଦେବଙ୍କ ରାଜ୍ୟଜୟର ନିଦର୍ଶନ ମିଳେ ।

 

(୩)

ବହୁଛି ତ୍ରିବେଣୀ ଆଜି, ରହିଛି ରାଜାଙ୍କ ଘାଟ,

କାହିଁ ସେ ରାଜାଙ୍କ ଦେଶ, କାହିଁ ବା ସେ ରାଜ୍ୟଥାଟ ?

ପୁଚ୍ଛିଲେ ଏ ପ୍ରଶ୍ନ ପ୍ରାଣୁ ଉଠେ ବାକ୍ୟ ବକ୍ଷ ଫାଟି,

ଅନୁର୍ବର ହେବ ନାହିଁ ମୁକୁନ୍ଦ ଦେଶର ମାଟି,

କ୍ଷୁଦ୍ର ମଞ୍ଜି ଉପୁଜାଏ ମହାଦ୍ରୁମ ଶତ ଶତ,

ଦେଶଭକ୍ତ ସାଧୁରକ୍ତ ନୁହେଁ ଭସ୍ମେ ପରିଣତ !

ବୀରରକ୍ତେ ବୀର ଗଢ଼ା କଥା ଅଛି କାଳେ କାଳେ,

ବୀରର ଶ୍ମଶାନେ ବୀର-ଶିଶୁ ଖେଳେ ଏ ସଂସାରେ;

କୀର୍ତ୍ତି ଦେହ ଧୂଳି ହୋଇ ପଡ଼ିଅଛି ଏହି ଦେଶେ,

ଗୌରବର ଆତ୍ମା ଆଜି ବୁଲେ ଦେଶ ଚାରିପାଶେ,

ହାତ ଠାରି ନୀରବରେ ଡାକି କାନେ କହେ କଥା,

‘ଉଠ ଭାଇ, ଉଠ ଭାଇ, ନ କର ରେ ନତ ମଥା ।

‘ଗୌରବର ଧୂଳି ବୋଳି ଉଭା ହୁଅ ରାଜପଥେ,

‘ଜୟ-ଶ୍ରୀ ଭୂଷିତ ହୋଇ ବସ ପୁଣ୍ୟକୀର୍ତ୍ତି-ରଥେ,

‘ଅତୀତକୁ ସାକ୍ଷୀ କରି ଗଢ଼ିଥାଅ ବର୍ତ୍ତମାନ,

ଅନଙ୍ଗ ଯଯାତି ଦେଶ ନୁହେ ନୀଚ, ନୁହେ ସାନ,

‘ବୀର କପିଳେନ୍ଦ୍ର ଯହିଁ କଲା ଦୂର ଦେଶ ଜୟ,

‘ସେ ଦେଶ କି କେବେ ହେଲେ ହେବ ହୀନ, ହେବ ହେୟ ।

‘ମୁକୁନ୍ଦର ମୁକ୍ତ ଆତ୍ମା ଯାଇଛି ଯେଦେଶେ ଖେଳି,

ସେ ଦେଶ ଲଲାଟେ ଲେଖା ବିଜୟ-ବିଭୂତି ଶିରୀ ।’

ବୀରଦେଶେ ବୀର ଆସି ଯାଇଛନ୍ତି ସିନା ଚଳି,

ଅଛ ତ ହେ ରବି ଶଶୀ, ଅଛ ତ ହେ ଗିରିଦରୀ,

ଅଛ ତ ହେ ଶୈଳ, ସିନ୍ଧୁ, ଅଛ ସିନ୍ଧୁ-ଗରଜନ,

ଅଛ ସିନ୍ଧୁ-ବେଳାଭୂମି, ଅଛ ନଭେ ତାରାଗଣ,

ନଗରେ, ପ୍ରାନ୍ତରେ ଅଛ କେତେ ତୁଙ୍ଗ ଦେବାଳୟ,

ରହିଛ କାନନଶ୍ରେଣୀ, ରହିଛ ମଧୁମଳୟ

ରହିଛ ପ୍ରକୃତି-ଦେବୀ, ହସୁଛ ତ ନିତି ନିତି,

ଆତ୍ମ-ପର ଭେଦ ଭୁଲି ଢାଳୁଛ ଅନନ୍ତ ପ୍ରୀତି,

ସମସ୍ତେ ତ ରହିଅଛ, କହ ଦେଖି କହ ଥରେ,

କେତେ କାଳ ସେ ମହିମା ରହିଥିବ ଗୁପତରେ ।

ସେ ଅତୀତ କେତେ କାଳ ବୁଲୁଥିବ ଶୂନ୍ୟ ଦେଶେ

ଭୂତ ପ୍ରେତ ପରି କେତେ କାୟାହୀନ ଛାୟାବେଶେ !

 

କେବେ କାୟା ଧରି ଆସି ମାୟାରୂପ ପରିହରି

ଜୀବନ ଯୌବନ ଦେବ ସ୍ୱଦେଶ ପରାଣେ ଭରି,

ହସିବ କୁଟୀର ସୌଧ, ହସିବ ନଗର ପଲ୍ଲୀ,

ହସିବେ ଆକାଶେ ପକ୍ଷୀ, ତଳେ ତରୁ ତୃଣ ବଲ୍ଲୀ,

ଘରେ ଘରେ ବୀରଶିଶୁ ଖେଳିବେ ଆନନ୍ଦେ ଖେଳ

ଆଶା, ପ୍ରୀତି, ଆନନ୍ଦର ଲାଗିଯିବ ମଧୁମେଳ,

ଗାଇବ ଗରବେ କବି କରେ ନବ ବୀଣା ଘେନି,

‘ଜୟ ମା’ ଜନମଭୂମି, ଜୟ ବୀରପ୍ରସବିନୀ ।’

Image

 

ଆଷାଢ଼

(୧)

ଅଜାଡ଼ି ଦେଉଛୁ, ଆଷାଢ଼ ବରଷା

କେତେ ତୁ ସରଗଜଳ,

ତୋ ଦେହେ ଦେଖୁଛି କେତେ ସ୍ମୃତି ମୋ

ନାଚୁଅଛି ଢଳ ଢଳ !

କିଏ ତୁହି ଅବା କେଉଁଠୁ ଆସିଛୁ

ନାହିଁ କିଛି ମୋତେ ଜଣା,

ଏତେ ସ୍ମୃତି ମୋର ଉଠାଇ ନଚାଇ

କରୁ କିପାଁ ବାଟ ବଣା ?

କେଉଁଠାରେ କେବେ ହୋଇଥିଲା କି ରେ

ତୋ ସଙ୍ଗେ ମୋହର ଦେଖା,

ହୋଇଥିଲା ଯଦି, ହେଲା କି ହୃଦୟେ

ସେ ଦେଖା ପଥରଲେଖା ?

ରହିଛି ଅଥବା ତୋହ ସଙ୍ଗେ ମୋର

ଜନମ ନାଡ଼ି ବନ୍ଧନ,

ଅବା କେବେ ଥିଲୁ ସଖା, ଘଟିଅଛି

ବିରହ ପରେ ମିଳନ ?

(୨)

ନିଶୀଥ ଯାମିନୀ, ନିଶ୍ଚଳ ମେଦିନୀ,

ଚାରି ଦିଗେ ଅନ୍ଧକାର,

ଝର ଝର ଝରେ ସରଗ ଝରଣା

କମ୍ପିଯାଏ ଏ ସଂସାର,

ଝରି ଝରି ଜଳ କଳକଳ ନାଦେ

ଏଣେତେଣେ ଯାଏ ବହି,

ସେ ଶବଦ ମୋର ଶ୍ରବଣ ପରଶି

କେତେ କଥା ଦିଏ କହି;

ମୋ ହୃଦ-ମନ୍ଦିର- ଗୁପ୍ତ କକ୍ଷଦେଶେ

ଉଠୁଅଛି ବୀଣା ବାଜି

କି ଆଘାତ ଲଭି ଜାଗି ଉଠୁଅଛି

ସୁଷୁପ୍ତ ଭାବନାରାଜି;

ବର୍ତ୍ତମାନ ସଙ୍ଗେ ଅତୀତ ଭବଷ୍ୟ

ଦିଶୁଅଛି ଏକାକାର,

ତୁଟି ଯାଇଅଛି ମୋ ମନୁ କ୍ଷଣକେ

ସମୟ ଭେଦ ବିଚାର ।

 

(୩)

ଉଦାସ ପରାଣେ ମୁକ୍ତ ବାତାୟନ-

ପଥେ ବସିଅଛି ଚାହିଁ,

କାହିଁକି ବସିଛୁ, ଆଷାଢ଼ ଅସରା,

କିଛି ମୁଁ ଜାଣଇ ନାହିଁ,

କି ଅବା ହଜିଛି କି ଅବା ପାଇବି,

ଭାବ ନାହିଁ କିଛି ମନେ,

ବିଜୁଳି ଚମକ ପରି କେତେ ଛବି,

ନାଚିଯାଏ ମୋ ନୟନେ ।

ଅତୀତ ତିମିର- ଗଭୀର ଗହ୍ୱରେ

ଲୁଚିଥିଲା କେତେ କଥା,

ବେଳ ପାଇ ଆଜି ଗୋଟି ଗୋଟି କରି

ଟେକୁଅଛି ନିଜ ମଥା;

ଶୋଇଥାଆ ସୁଖେ ଅତୀତର ସ୍ମୃତି

ନ ଆସ ମୋ ପାଶେ ଆଜି,

କି ସୁଖ ପାଇବୁ ମୋ ପରି ଅଧମ

ଉପରେ ତୁ ବାଦ ସାଧି ?

 

(୪)

କି ଅବା କହିବି ଆଷାଢ଼ ବରଷା,

ମୋ କଥା ତୋ ପାଶେ ବସି !

ମୋ ଦୁଃଖ ଉପରେ ବୋଳି ହୋଇଯାଉ

ବେଗେ ବିସ୍ମୃତିର ମସୀ ।

କିଏ ବା ଶୁଣିବ ମୋ ଦୁଃଖ କାହାଣୀ

କହିବି କାହିଁ ବା ବଳ ?

ବାହାରୁ ନାହିଁ ତ ବଦନୁ ବଚନ,

କହୁ ତେବେ ନେତ୍ରଜଳ,

ଦୁଃଖୀ ଦୁଃଖତାପ ମେଣ୍ଟାଇବା ପାଇଁ

ସେ ଯେ ମନ୍ଦାକିନୀ-ଧାରା,

ଦୁଃଖୀର ତମିସ୍ର- ଗଗନର ମୂଳେ

ସେ ତ ପ୍ରଭାମୟୀ ତାରା,

ଦୁଃଖି-ଦୁଃଖଭାର ସୁଖେ ବହିବାକୁ

କିଏ ଆଉ ତାହା ପରି ?

ଆଜି ଏ ନିର୍ଜନେ ଆସି ସେ ମୋ ପାଶେ

ନେଉ ହୃଦଭାର ହରି ।

 

(୫)

ଆଷାଢ଼ ବରଷା କେତେ ଦୂର ଛାଡ଼ି

ଘର ବନ୍ଧୁ ପରିଜନ,

ପୋଡ଼ା ପେଟ ପାଇଁ ବିଦେଶେ ସାରୁଛି

ନୀରସ ଶୁଷ୍କ ଜୀବନ !

ଘରେ ରହିଅଛି ମୋ ପ୍ରାଣ-ଜନନୀ

ଦୟାମାୟା ମୂର୍ତ୍ତିମତୀ,

ତା’ ମଧୁର କୋଳୁ ହୋଇ ମୁଁ ଅନ୍ତର

ଲଭୁଛି ଯନ୍ତ୍ରଣା ଅତି;

ଘରେ ରହିଅଛି କେତେ ଶିଶୁଲୀଳା

କେତେ ହସହସ ମୁଖ,

ସେ ମଧୁର ସ୍ମୃତି ଦୂରେ ମନେ ପଡ଼ି

ଦେଉଛି ଦାରୁଣ ଦୁଃଖ;

ନିଶା ଗରଜନ ବେଳେ ମାଆ ମୋର

କାନ୍ଦେ ନିତି ମୋହ ପାଇଁ,

ତୁନୀ କର ବେଗେ ଆଷାଢ଼ ବରଷା,

ତୁରିତେ ତା ପାଶେ ଯାଇ ।

 

(୬)

ଆଷାଢ଼ ବରଷା ତୋତେ ଦେଖି ମୋର

ମନେପଡ଼େ ଚଷା ଭାଇ,

ଦେଖି ଆସିଥିଲି ପଲ୍ଲୀପଥେ ସେ ତ

ବସିଥିଲା ତୋତେ ଚାହିଁ;

ଘର ଲାଗିଥିଲା ମହାମାରୀ ଲୀଳା,

ଶୁଖିଥିଲା ତା’ ଉଦର,

ତା’ ସ୍ନେହ ପିତୁଳି କି କରିବେ ଭାବି

ବହୁଥିଲା ଅଶ୍ରୁଜଳ;

କୃଷକ-ଘରଣୀ ଆଦର୍ଶ ରମଣୀ

ଭାତ ଗୋଟି ଗୋଟି ଛାଣି

ପିଲାଙ୍କ ମୁହଁରେ ଦେଇ ସୁଖେ ଥିଲା

ପିଉ ଢୋକେ ଢୋକେ ପାଣି,

ଯାଅ ଯାଅ ବେଗେ ତା’ ପାଖକୁ ଚାଲି,

ଢାଳି ଦେ ସରଗ ଜଳ,

ଦୁର୍ଦ୍ଦିନେ ଦୁଆରେ ଠିଆ ହୋଇ ତାର

କର ତା’ ପ୍ରାଣ ଶୀତଳ ।

 

(୭)

ଦେଖି ଆସିଥିଲି ଘର ପାଖେ ମୋର

ବୃକ୍ଷଲତା ପଶୁପକ୍ଷୀ

ନ ଲଭି ତୋ ସ୍ନେହ ଦାରୁଣ ନିଦାଘ-

ତାପେ ଯାଉଥିଲେ ଶୁଖି;

ସରି ଯାଇଥିଲା ସ୍ରୋତସ୍ୱତୀ-ସ୍ରୋତ

ନ ଥିଲା ବୃକ୍ଷେ ପତର,

ଦିବସ-ଯୌବନେ ଜଳି ଦିଶୁଥିଲା

ଟଙ୍କ ପ୍ରାନ୍ତର ଉଜ୍ଜ୍ୱଳ !

ଥକା ମାରି ଠାବେ ଠାବେ ପଶୁପକ୍ଷୀ

ହେଉଥିଲେ ଦୁଃଖେ ଠିଆ,

ସେ କରୁଣ ଦୃଶ୍ୟ ନିତି ନେତ୍ରେ ଦେଖି

ବିଦାରି ହୁଏ ମୋ ହିଆ ।

ଦୟା ବହି ଯାଇ ସେ ଦେଶ ଜୀବନେ

ଢାଳିଦେ ଅମୀୟ ରସ,

ପଲ୍ଲୀ ଅଙ୍ଗ ଭରି ଉଠି ଆସୁ ବେଗେ

ଶୋଭା ସୌରଭ ହରଷ ।

 

(୮)

ଯାଆ ଯାଆ ତେବେ ଆଷାଢ଼ ବରଷା,

ଦେଉଛି ସୁଖେ ମେଲାଣି,

ମୋ ପରି ଦରିଦ୍ର ପାଶେ ଦୟା କରି

ଦେଲୁ କେତେ ସ୍ମୃତି ଆଣି !

ଏ ପୋଡ଼ା ସଂସାରେ ହାଟକ ହୀରକ

ବହି ବନ୍ଧୁ ହୁଏ ଜଣା ।

ଏ ନିକଷେ ପଡ଼ି ମୋ ପରି ଅଧମ

ହେବେ ସଦା ବାଟବଣା;

ଶୂନ୍ୟହସ୍ତ ଯାର କହିଁ ତାର ମୂଲ୍ୟ

ଏ ମହା ସଂସାର-ହାଟେ ?

କି ଦେଇ କି ନାଚ ନାଚିବ ସେ ଦୀନ

ଶୋଭାମୟ ଭାବନାଟେ ?

କାଳେ କାଳେ ମୋତେ ତୋହପରି ସଖା

କେବେ ମୋର ନୋହୁ ଊଣା,

ବିପଦର ବନ୍ଧୁ, ମନେ ରହିଥିବ

ତୋର ଅପାର କରୁଣା !

Image

 

ବନ୍ଧୁ ବିଦାୟ *

 

ସତେ ଆଜି ପ୍ରିୟ ବନ୍ଧୁ, ଯାଉଅଛ ଚାଲି

ସେହି ଦୂର ଦେଶେ, ଯାହା ହେଉଥିଲ ଭାଳି

ସତେ ଅଳି ତବ ଆଶା,

ପ୍ରାଣର ପ୍ରିୟ ପିପାସା

ମେଣ୍ଟିଅଛି, ଏତେଦିନେ ପୂରିଛି ବାସନା

ସତେ ଆଜି ସିଦ୍ଧ ତବ ମଙ୍ଗଳ କାମନା ।

କେତେ ଉତ୍କଳର ହିତ ଭାଳୁଥିଲ ବସି,

ପରିହାସେ ବନ୍ଧୁ ଦକେ କହୁଥିଲ ହସି,

‘‘ଯେବେ ମୁଁ ଫେରିବି ଦେଶେ

ନବ ତେଜେ ନବ ବେଶେ,

ଘୁଞ୍ଚାଇବି ଦେଶ ଦଶା ଦେଇ ପ୍ରାଣମନ

ଦେଖାଇବି ହୀନ ନୁହେଁ ଓଡ଼ିଆ-ଜୀବନ ।’’

ପରିହାସ ଥିଲା ଯାହା ମଣ ଏବେ ସତ;

ଶୁଭ ବେଳ ହେଲାଣିତ ଆଜି ଉପଗତ,

ଲଭି ନବ ନବ ଶିକ୍ଷା

ନେଇ ମାତୃସେବା ଦୀକ୍ଷା

ସର୍ବଶୁଭେ ଫେରି ଆସ ବେଗେ ନିଜ ଘରେ,

ଦୁଃଖିନୀ ଜନନୀ ଦୁଃଖ ଘୁଞ୍ଚିଯାଉ ଖରେ ।

ଜାଣ ତ ଏ ଦେଶେ ଥିଲା କେତେ ଗଉରବ,

ଥିଲା କେତେ ଶିଳ୍ପକଳା କେତେ ତ ବିଭବ,

ଥିଲା କେତେ ଉଚ୍ଚ ଆଶା

ପ୍ରାଣର ପ୍ରିୟା ପିପାସା,

ଜ୍ଞାନ କର୍ମ ତପସ୍ୟାର କେତେ ପୀଠସ୍ଥାନ

ଆଜି ସବୁ ଶେଷ, ଅଛି ସୁଷମା-ଶ୍ମଶାନ !

ସେ ସ୍ୱାଧୀନ ଦେଶେ ଅଛି ସଞ୍ଜୀବନ ମନ୍ତ୍ର,

ଅଛି ଶବଦେହେ ପ୍ରାଣ ଆଣିବାର ଯନ୍ତ୍ର,

ମନ୍ତ୍ର ଯନ୍ତ୍ର ସଙ୍ଗେ ଧରି

ଆସ ହେ ସ୍ୱଦେଶେ ଚଳି,

ଆମ୍ଭେ ସବୁ ଏ କୂଳରେ ରହିଅଛୁ ଭାଇ,

ତୁମ୍ଭରି ଆସିବା ବାଟ ଅନାଇ ଅନାଇ ।

ସୁଦର୍ଶନ ଚକ୍ରଟିଏ ଆଣିଥିବ ସଙ୍ଗେ,

କପଟତା ମୋହପାଶ କାଟିଦେବ ରଙ୍ଗେ,

ଦ୍ୱେଷ ହିଂସା ଅହଂକାର

ମିଥ୍ୟା ପୂର୍ଣ୍ଣ କୁସଂସ୍କାର

ଦିନୁ ଦିନୁ ସମାଜର ସାରିଦିଏ ବଳ,

ଜାତୀୟ ଜୀବନ ଆଜି ଶୁଷ୍କ ଆଡ଼ମ୍ବର ।

ସତ୍ୟେ ପ୍ରୀତି, ଜ୍ଞାନେ ଭକ୍ତି ମଙ୍ଗଳେ ସାହସ

ଥିଲା ଏ ଜାତିର ପରା ଦିନେ ଆଦରଶ ?

ଆଜି କାହିଁ ଶିକ୍ଷା ଦୀକ୍ଷା ।

ପରଦ୍ୱାରେ ସାର ଭିକ୍ଷା !

କାହିଁ ପୁଣ୍ୟ, କାହିଁ ମନ, କାହିଁ ବା ବିଭବ,

ଅତୀତ କୀରତି ଆଜି ଲାଗେ ଅସମ୍ଭବ ।

ଶିଶୁମୁଖେ ଏ ଦେଶର ନାହିଁ ଏବେ ହସ,

ଜ୍ଞାନହୀନା ନାରୀ ମନ ମଳିନ ନୀରସ;

ଶତ ଶତ ଦୀନହୀନ

ଅନଶନେ ତନୁ କ୍ଷୀଣ,

ପଥେ ଘାଟେ ପଡ଼ି ନିତି ଲଭନ୍ତି ମରଣ ।

କିଏ ଶୁଣେ ଦରିଦ୍ରର କରୁଣ କ୍ରନ୍ଦନ ?

ଧର୍ମଧ୍ୱଜାଧାରୀ କେତେ ଭଣ୍ଡ ପୁରୋହିତ

ଫୁଲୁଛନ୍ତି ପିଇ ନିତି ସମାଜ ଶୋଣିତ

କଦାଚାରୀ ଜ୍ଞାନଶୂନ୍ୟ

ବାଣ୍ଟନ୍ତି ସମାଜେ ପୁଣ୍ୟ,

‘‘ଅର୍ଥେ ମୁକ୍ତି’’ ହୁଏ ଯଦି ଦେଶ ଶାସ୍ତ୍ରେ ଲେଖା,

ଏ ଦେଶେ କି ମନୁଷ୍ୟତା ଦେବ କେବେ ଦେଖା ?

ଆସି କହ ଭାଇ କିବା ସେ ଦେଶର ବେଶ,

ଯାଅ ଯହିଁ ଶୁଣୁ ପରା ସ୍ୱାଧୀନ ସେ ଦେଶ,

ସେ ଦେଶର ନଦୀଜଳ

ହୁଏ ଟିକି କଳକଳ

ଦଶଦିଗ ଭରି ତହିଁ ବହେଟି ପବନ ?

ନିଶ୍ୱାସେ ପବନ ନେଇ ରହେଟି ଜୀବନ ?

ସେ ଦେଶର ଭୂମିଟିକି ଏହି ଭୂମି ପରି ?

ସେ ଦେଶର ନରନାରୀ ଏ ଦେଶର ସରି ?

ସେ ଦେଶର ନାରୀଜାତି

ଗୃହକୋଣେ ଦିନରାତି

ସୂଚୀଭେଦ୍ୟ ଅନ୍ଧକାରେ ସାରନ୍ତି ଜୀବନ

ମଣନ୍ତି ତ ନାରୀ ନର- ବିଳାସ କାରଣ ?

ଏ ଦେଶ ପୁରୁଷ ପରି ସେ ଦେଶର ନର

ପତ୍ନୀ-କନ୍ୟା ବିପଦରେ ନହୋଇ ବିକଳ

ଦେଖି ନାରୀ ଅତ୍ୟାଚାର

ଆତ୍ମରକ୍ଷା ବୁଝି ସାର

ବିଦେଶୀ ପାଷଣ୍ଡ ପାଶୁ କରି ପଳାୟନ

ବକ୍ତୃତାରେ କମ୍ପାନ୍ତି ତ ବିଶାଳ ଗଗନ ?

ସେ ଦେଶରେ ଘରେ ଘରେ ରହିଛି ତ ରୋଗ ?

ଊଣା ନାହିଁ କାହାରି ତ ଦୁର୍ଭିକ୍ଷର ଭୋଗ ?

ପଲ୍ଲୀଗ୍ରାମେ ବର୍ଷେ ବର୍ଷେ

ମହାମାରୀ ମହା ହର୍ଷେ

ବଂଶ ପରେ ବଂଶ କେତେ ଦେଉଛି ତ ସାରି ?

ରହେ ଯେହୁ ସାରେ ଦିନ ଅଶ୍ରୁ ଢାଳି ଢାଳି ?

ଆଉ ବେଳ ନାହିଁ ଗଳେ ନିଅ ପୁଷ୍ପମାଳା,

ଅଛି ଏଥି ସ୍ୱଦେଶର ପ୍ରୀତ-ମଧୁ-ଧାରା;

ଆଜି ହସ ହସ ମୁଖେ

ଯାଅ ଯହିଁ ମନସୁଖେ

ଶିଖି, ଦେଖି ନାନା କଥା ଫେରିଆସ ଘରେ;

ଧନ୍ୟ ହେଉ ଭାଇ, ତବ ଜନ୍ମ ବିଭୁ-ବରେ ।

 

*

ଜଣେ ବନ୍ଧୁଙ୍କର ବିଲାତଯାତ୍ରା ଉପଲକ୍ଷେ ।

Image

 

କୁମାରପୂର୍ଣ୍ଣିମା *

 

ଉଠିଆସ ବେଗେ ଶରଦ ଶଶୀ ରେ,

ଉଠିଆ ଆକାଶେ ଧାଇଁ

କେତେ ବେଳ ଆଉ କୁମାରୀ ବାଳିକା

ବସିଥିବ ତୋହ ପାଇଁ ।

ଦୁର୍ବୁଦ୍ଧି ମେଘ ତୁ କେଡ଼େ ଦାରୁଣରେ

ଆଜି ଲଗାଇଛୁ କଳି !

ଛାଡ଼ିଦେ ଛାଡ଼ିଦେ ଶରଦ ଶଶୀକୁ

କୁମାରୀ କରୁ ତା’ ଅଳି ।

ଦିନ ଗୋଟାକ ସେ ଉପବାସେ ରହି

ତୋହ ପାଇଁ ଅଛି ଚାହିଁ,

ତୁ କି କରୁ ଶଶୀ, କି ବିବାଦେ ମାତି

ତା’ ପାଖକୁ ଆସୁନାହିଁ !

ରଖିଥା ପଛକୁ ସବୁ ବିବାଦ ରେ

ସବୁ ତୋର କଳି କଥା,

ହସି ହସି ବେଗେ ଆସ ତାହା ପାଶେ

କୁମାରୀ ନ ପାଉ ବ୍ୟଥା ।

ବରଷ ଯାକରେ କେତେ ପୂର୍ଣ୍ଣମୀ ରେ

ଗଲେ କେତେ ଶଶୀ ହସି !

ବାଛି ବାଛି କରି ରଖିଛୁ କୁମାରୀ

ତୋତେ ରେ ଶରଦ ଶଶୀ ।

ତୋ ଆସିବା ବାଟ ଚାହିଁ ବସିଥିଲା

ନିତି ନିତି ଦିନ ଗଣି,

ସେ ଜାଣେ ତୁ କିବା ଶୋଭାର ପସରା

କି ଅବା ସୌନ୍ଦର୍ଯ୍ୟଖଣି ।

ତୋର ପୂଜା ଲାଗି ଦିନମାନ ଲାଗି

କେତେ ଆୟୋଜନ କରି

ଯେତେ ପୂଜା ଦ୍ରବ୍ୟ ନଇବେଦ୍ୟ ଭୋଗ

ଆଣିଛି ଚାଙ୍ଗଡ଼ା ଭରି ।

ଆଜି ଉଷା ଯୋଷା ପିନ୍ଧ ନିଜ ଭୂଷା

ହୋଇବା ଆଗରୁ ଉଭା

ଉଠି ତରତରେ ସଖୀ ସଙ୍ଗତରେ

ସରସୀକୁ ଗଲା ଶୁଭା ।

ଶରତ ସୁନ୍ଦର ସରସୀ ସଲିଳେ

ସ୍ନାନ ସାରି ଫେରି ଘରେ

ପିନ୍ଧ ନବବାସ ଧର୍ମଦେବ ପାଇଁ

ଭୋଗ ବାଢ଼ି ଦେଲା ଖରେ;

ଆସୁ ଆସୁ ସୂର୍ଯ୍ୟ ଉଠି ଆକାଶରେ

ସଜ ଫୁଲ ଫଳ ଭରି

ଭୋଗ ସଙ୍ଗତରେ ‘ଅଞ୍ଜଳି ଟେକିଲା’

ଧର୍ମଦେବେ ସାକ୍ଷୀ କରି ।

ସେ ଭୋଗେ ମିଶାଇ ଦୁଧ ଦୁଧସର

ସରସ ମଧୁର ଫଳ

କରିଅଛି ‘ଚାନ୍ଦ’ ଦେବ ତୋତେ ଶଶୀ

ନେଇ ଯା ବଢ଼ାଇ କର ।

ବୃନ୍ଦାବତୀ ମୂଳେ ତୋ ପୂଜା ବଢ଼ାଇ

ପରିଜନେ ‘ଚାନ୍ଦ’ ଦେଇ

ବାରି ଅଗଣାରେ ଉଭା ହେବ ଏବେ

ସଙ୍ଗେ ସଖୀଗଣ ନେଇ ।

ଅମଳ ଧବଳ ରଜତ କିରଣେ

ଧୋଇଦେଲେ ଧରା ଥରେ

ଦେଖିବୁ ତୁ ଶଶୀ, କେତେ ଉପହାର

ବାଣ୍ଟିଦେବ ତୋତେ ବଳେ ।

ତୋ ପାଇଁ ଶିଖିଛି ସୁକୁମାରୀ ବାଳା

ସରଜ ସୁନ୍ଦର ଗୀତ,

ଗୀତ ଗାଇ ଗାଇ ତୋତେ ଚାହିଁ ଚାହିଁ

ହରିବ ତୋହର ଚିତ୍ତ ।

ସ୍ୱଭାବ-ମଧୁର କୁମାରୀ-କଣ୍ଠରୁ

ସ୍ୱଭାବ ସଙ୍ଗୀତ ବହି,

ଉପରେ ତୁ ବସି ଦେଖୁଥିବୁ ଶଶୀ,

ଘୋଟିଯିବ ସାରା ମହୀ ।

ଗୀତ ସଙ୍ଗେ ସଙ୍ଗେ ନାଚିବ କୁମାରୀ

ପୁଚି ଖେଳି କେତେ ମତେ,

ସାଙ୍ଗ ସଖୀମାନେ ନାଚି ଗୀତ ଗାଇ

ତାଳ ଦେବେ ତା’ ସଙ୍ଗତେ ।

ସଙ୍ଗୀତର ରୋଳ ନାଚର ଶବଦ

ପଲକେ ଯିବ ପ୍ରସରି

ସେ ଶବଦ ଆସି ପଲ୍ଲୀ, ବୃକ୍ଷଲତା

ବାଟ ଘାଟ ଯିବ ଭରି ।

ଉଠି ଆସ ଶଶୀ, ଭୁଞ୍ଜିଯାଅ ‘ଚାନ୍ଦ’

ହେଲାଣି ତୋ ପାଇଁ ବଢ଼ା,

ତୋ ମହିମା ଜାଣି ହୋଇଛି ତୋ ‘ଚାନ୍ଦ’

ସର ଲବଣିରେ ଗଢ଼ା ।

ତା’ ସଙ୍ଗେ ରହିଛି କେତେ ପୂଜାବିଧି

କେତେ ମନଭୁଲା ଗୀତ !

ଏତେ ଦ୍ରବ୍ୟେ ଯଦି ନ ମାନେ ତୋ ମନ

କି ଦ୍ରବ୍ୟ ହରେ ତୋ ଚିତ୍ତ !

ସାରା ସଂସାରରେ ଯେତେ ପୂଜା ପାଉ

ଏ ପୂଜା ସବୁରି ସାର;

ସରଳା କୁମାରୀ କରିବ ଯେ ପୂଜା

କାହିଁ ବା ତୁଳନା ତାର !

ତା’ ସରଳ ମନ ସରଳ ବିଶ୍ୱାସ

ଆଉ ଏ ମହୀରେ କାହିଁ ?

ତାର ପୂଜା ତେଣୁ ସଂସାର ବାହାର

ଖୋଜିଲେ ମିଳିବ ନାହିଁ ।

ନିୟତି ନିୟମେ ବଦଳା ବଦଳି

ଲାଗିଛି ସଂସାରେ ନିତି

କେ ଜାଣେ କି ହେବ କୁମାରୀ ଜୀବନେ

ଗଲେ ବରଷକ ବିତି ।

ଆଜି ଯେ ହସୁଛି ଗୀତ ଗାଇ ଗାଇ

ସରଳ ସ୍ୱାଧୀନ ମନେ,

ଆର ବରଷକୁ ଆଜି ରହିଥିବ

କାହିଁ କାହା ଘର କଣେ ।

ଛାଡ଼ି ପିତା ମାତା ଆତ୍ମୀୟ ସ୍ୱଜନ

ନିଜ ପ୍ରିୟ ସଖୀଗଣ

ଅଚିହ୍ନା ଘରରେ ବାନ୍ଧିବ ବନ୍ଧୁତା

କିଣିବ ଅଚିହ୍ନା ମନ ।

କ୍ଷଣେ ସଖୀସଙ୍ଗ ଆଜି ସେ ଛାଡ଼ିଲେ

ମଣୁଛି ଘର ଅନ୍ଧାର,

ଆର ବରଷକୁ ଅନ୍ଧ ମୂକ ପରି

ବସି କାଟୁଥିବ କାଳ ।

ଦିନେ ସଖୀମେଳେ ପଡ଼ା ପୋଖରୀକୁ

ନ ଗଲେ ନ ହୁଏ ସ୍ନାନ,

ଥାଉ ଏଡ଼େ କଥା ‘ଉଚ୍ଚତୁଣ୍ଡ’ ହେଲେ

କରିବ ଦୂଷଣ ଜ୍ଞାନ ।

ଆଜି ଯେତେ ସୁଖ ଆର ବରଷକୁ

ହୋଇବ ସେତିକି ଦୁଃଖ

ଏ ସବୁ ସୁମରି ଚାହିଁ ବସିଥିବ

ଦେଖିବ ସ୍ୱଜନ-ମୁଖ ।

ବରଷ ଗୋଟାକେ ଏତେ କଥା ଯଦି

ହୋଇଯିବ ତାର ଶଶୀ,

ଉଠି ଆସ ବେଗେ ଆକାଶ ଦେଶକୁ

ହସି ଯା ତା’ ପାଶେ ବସି ।

ଉଠି ଆସୁଛୁ ତୁ ସରଗ ଶଶୀରେ,

ଦିଶିଲାଣି ତୋର ମୁଖ,

ଜାଣିଲି କୁମାରୀ ତୋ ମୁଖ ନିରେଖି

ପାସୋରିବ ସବୁ ଦୁଃଖ ।

ଚାରିଆଡ଼ୁ ବାଆ ବହି ଆଣିଲାଣି

କେତେ ହୁଳହୁଳି ଧ୍ୱନି;

ଅଭ୍ୟର୍ଥନା ତୋର ହୋଇଗଲା ଶଶୀ,

ହେବ ପୂଜା ଏହିକ୍ଷଣି ।

କୁମାରୀଏ ମିଳି ଦେଇ ହୁଳହୁଳି

କର ଶଶୀ ପାଶେ ଅଳି,

ମନୋବାଞ୍ଛା ସବୁ ଦେବ ପୂର୍ଣ୍ଣ କରି

ଦୁର୍ଦ୍ଦଶା ଦେବ ସେ ଦଳି ।

ଅଳି ସଙ୍ଗେ ପଦେ ବିଶ୍ୱରାଜ-ପଦେ

ପ୍ରାର୍ଥନା ଦିଅ ପଠାଇ;

‘ଉତ୍କଳ କନ୍ୟାର ଦୁର୍ଦ୍ଦଶା-ଯାମିନୀ

ଯାଉ ଯାଉ ବେଗେ ପାହି ।’

 

*

ବର୍ଣ୍ଣିତ ବର୍ଷର କୁମାରପୂର୍ଣ୍ଣିମା ଦିନ ମେଘୁଆ ହୋଇଥିଲା ।

Image

 

ସୀତା-ବନବାସ

 

(୧)

ଶୁଣି ଆସିଅଛି ସବୁ,

 

ଉଠ ପ୍ରାଣେଶ୍ୱର,

ଦୁଃଖ କରି ଦେହ ଦହି

 

ଆଉ କିବା ଫଳ !

ସୀତା ଲାଗି ବ୍ୟଥା ଆଉ

 

ରଖ ନାହିଁ ମନେ,

ଭୋଗୁ ସେ କରମଫଳ

 

ଜନମେ ଜନମେ !

ମୋର କ୍ଷୁଦ୍ର ସୁଖ ଛାର

 

ବଳି ଦେଇ ଆଜି

କିଣିବି ତୁମ୍ଭର ଶୁଭ୍ର

 

ଯଶଃପୁଣ୍ୟରାଜି;

ଏଥୁଁ ବଳି ବଡ଼ କିବା

 

ଅରଜିବି ପ୍ରଭୁ,

ତବ ଶୁଭ ଲାଗି ହେଳେ

 

ମୁର୍ଚ୍ଛିପାରେଁ ସବୁ ।

ପିତୃସତ୍ୟ ପାଳି ନାଥ,

 

ଦେଖାଇଛ ପଥ,

ପତି-ସତ୍ୟ ପାଳିବି ମୁଁ

 

ଦେଖିବ ଜଗତ ।

ଏ ପୁଣ୍ୟ ପଥରୁ ମୋତେ

 

ନ ନିଅ ହେ ଟାଣି,

ଏଡ଼େ ବଡ଼ ଭାଗ୍ୟ ଦୈବ

 

ଘଟାଇଛି ଆଣି ।

ଏ ପିଣ୍ଡରେ ଯେତେ ଦିନ

 

ରହିଅଛି ପ୍ରାଣ,

ନ କରିବି କେଭେଁ ତବ

 

ପୁଣ୍ୟରଶ୍ମି ମ୍ଳାନ;

ଲୋଡ଼ା ହେଲେ ବକ୍ଷ ଚିରି

 

ରକ୍ତ ଦେବି ଢାଳି,

ହେ ଯଶସ୍ୱୀ, ତବ ଯଶେ

 

ନ ଦେବି ମୁଁ କାଳି;

ଏହି ବକ୍ଷ ପଦେ ଦଳି

 

ଯଶର ମନ୍ଦିରେ,

ଉଠ ବୀର ଧନ୍ୟ ହେବି

 

ନ ଶୋଚିବି ତିଳେ ।

ପତିର ମଙ୍ଗଳେ ପତ୍ନୀ

 

ନ ଦେଲେ ଜୀବନ,

ସେ ଜୀବନ ବୃଥା,

 

ବହି କିବା ପ୍ରୟୋଜନ ।

ସେ ଜୀବନ ସତୀ ପ୍ରତି

 

କି ଦୁର୍ବଳ ଭାର,

ସେ ଜୀବନ ଶୁଭାଶୁଭ

 

ହେବ ବା କାହାର ?

ସେ ଜୀବନ ଏ ସଂସାରେ

 

ଅମଙ୍ଗଳ ହେତୁ

ସେ ଜୀବନ ସ୍ୱର୍ଗମର୍ତ୍ତ୍ୟେ

 

ନୁହେ ସ୍ୱର୍ଣ୍ଣସେତୁ;

ତବ ପ୍ରାଣପ୍ରିୟା ସୀତା

 

ସେ ଜୀବନ ଧରି

କେଉଁ ସୁଖେ ଏ ସଂସାରେ

 

ବଞ୍ଚିବ କିପରି !

(୨)

କେତେ ତ କହିବେ ରାମ

 

ଦେଲେ ନିର୍ବାସନ,

କେତେ ତ ନିନ୍ଦିବେ ତବ

 

ପ୍ରଜାନୁରଞ୍ଜନ;

କେତେ ତ କରିବେ କେତେ

 

ରୂପେ ଉପହାସ,

କେତେ ବା ବୁଝିବେ ତବ

 

ଧର୍ମ-ଆଦରଶ !

ଆନ ଯେ କହିବ କହୁ

 

ମୁଁ ବୁଝିଛି ସାର

ପ୍ରଜାନୁରଞ୍ଜନ ପାଶେ

 

ପତ୍ନୀ କିବା ଛାର ।

ରାଜାର ଜୀବନ ଏକ

 

କଠୋର ସାଧନା,

ଭବ ପତ୍ନୀରୂପେ ଭାଗ୍ୟେ

 

ମୋତେ କିଛି ଜଣା ।

ରାଜାର କଳତ୍ର, ପୁତ୍ର

 

ରାଜ୍ୟଠାରୁ ସାନ

ଶିଖିବ ଜଗତ ଆଜି

 

କର୍ତ୍ତବ୍ୟ ମହାନ ।

ଯୁଗେ ଯୁଗେ ଏ ଆଦର୍ଶ

 

ନ ଲଭିବ କ୍ଷୟ,

ରାମ-ରାଜ୍ୟ ନାମେ ଲୋକେ

 

ଗାଉଥିବେ ଜୟ

(୩)

ତବ ପ୍ରେମସିକ୍ତ ହୃଦ

 

ଅଛି ମୋତେ ଜଣା,

ବହୁଭାଗ୍ୟେ ଭୁଞ୍ଜିଅଛି

 

ସେହି ସୁଧା-ଛଣା;

ପ୍ରଣୟ ପ୍ରଥମ କାଳ

 

ରହିଅଛି ମନେ,

କେତେ ସୁଖ ନ ଭୋଗିଲି

 

ପଞ୍ଚବଟୀ ବନେ !

ବିହଙ୍ଗ-ମୁଖର କୁଞ୍ଜେ

 

ଗିରି-ପଦତଳେ

ନ ପାଇଛି କେତେ ସୁଖ

 

ପୂର୍ବ ପୁଣ୍ୟଫଳେ !

ତାପସ ତାପସୀ ମେଳେ

 

ଗୋଦାବରୀ-ତଟେ

ଭୋଗିଛି ଯେ ସୁଖ, ଲେଖା-

 

ଅଛି ହୃଦପଟେ ।

ଗିରି-ନିର୍ଝରିଣୀ-କୂଳେ

 

ପର୍ଣ୍ଣଗୃହେ ବସି

ପ୍ରଣୟ-କାହାଣୀ କେତେ

 

ଶୁଣିଛି ରହସି !

ସେହି ସବୁ ମନେ ଯାହା

 

ଆଣେ ଦୁର୍ବଳତା

ନ ହେଲେ ସହିବା ଦୁଃଖ

 

କିବା ଛାର କଥା !

ତୁମ୍ଭେ ଯହିଁ ଥାଅ ମୋର

 

ସବୁ ଥାଏ ଭରା,

ତବ ବିନା ଶୂନ୍ୟ ମରୁ

 

ମୋତେ ବସୁନ୍ଧରା;

ଯେଉଁ କେତେ ଦିନ ଭାଗ୍ୟେ

 

ଲଙ୍କାଗଡ଼େ ଥିଲି

ତବ ବିନା ଏ ଜୀବନେ

 

କି କ୍ଳେଶ ଭୋଗିଲି ।

ସେହି ଚନ୍ଦ୍ର, ସେହି ସୂର୍ଯ୍ୟ

 

ଉଠୁଥିଲା ନିତି,

ସେହିପରି ଦିନ ରାତି

 

ଯାଉଥିଲା ବିତି,

ଆଗ ପରି ସତ ହସୁ-

 

ଥିଲା ଫୁଲକଳି,

ତବ ବିନା ପ୍ରାଣ ମୋର

 

ଯାଉଥିଲା ଜଳି;

ସବୁ ମୋତେ ଦିଶୁଥିଲା

 

ଅମା ଅନ୍ଧକାର,

ଜୀବନଟା ଲାଗୁଥିଲା

 

କି ଦୁର୍ବହ ଭାର !

ଆଉ ସେ ସବୁ ରେ ନାଥ,

 

କିବା ପ୍ରୟୋଜନ

କିବା ଲାଭ ଅତୀତକୁ

 

କରି ଜାଗରଣ !

ଯହିଁ ଥାଏ ତୁମ୍ଭର ମୁଁ,

 

ରଖିଥିବ ମନେ,

ପତ୍ନୀ ବା ନ ହେଲି ମୁଁ ତ

 

ରାଜ୍ୟ-ପ୍ରଜା ଜଣେ !

କାଳେ କାଳେ ଦୟା ସ୍ନେହ

 

ନ କରିବ ଊଣା

ଢାଳୁଥିବ ପ୍ରେମ ପୂର୍ଣ୍ଣ

 

ହୃଦୟୁଁ କରୁଣା,

ମୋର ଦୋଷ ଅପରାଧ

 

ଯାହା ଅଛି ରହି

ସ୍ମୃତିପଟୁଁ ପୋଛୁଦେବ

 

ନାଥ, ଦୟା ବହି

ଏ ଜନମେ ଦରଶନ

 

ଭାଗ୍ୟ କଲା ମନା,

ଜନ୍ମାନ୍ତରେ ଦେଖା ହେବ

 

ରଖିଛି ବାସନା;

ମିଳିବ ଅବଶ୍ୟ ସେହି

 

ପୁରେ ପରିଚୟ

ମେଣ୍ଟିବ ଏ ସଂସାରର

 

ଅତୃପ୍ତ ପ୍ରଣୟ ।

ସକଳ ଉଦ୍‌ବେଗ ଚିନ୍ତା

 

ମନୁ କର ଦୂର,

ହସମୁଖ ଦେଖି ତେଜେଁ

 

ଏ ଅଯୋଧ୍ୟାପୁର ।

Image

 

ପଲ୍ଲୀ-କୃଷକ

(୧)

ହେ ପଲ୍ଲୀକୃଷକ ସରଳ ସୁନ୍ଦର

ତୋତେ ଦେଖି ପୂରିଯାଏ ମୋ ଅନ୍ତର ।

ଦେଖି ତୋତେ ମନେ ଆସେ ନାନା କଥା

ତୋ ମୂର୍ତ୍ତି ମୋ କାନେ ଅତୀତ ବାରତା-

କେତେ କହିଦିଏ କାହିଁ ଯାଏ ମନ,

ସୁଖ ଦୁଃଖ ଚିତ୍ର କରଇ ଦର୍ଶନ ।

ତୁ ଅଟୁ ଜୀବନ୍ତ ଭାଇ ! ଇତିହାସ

ତୋ ଦେହେ ଦେଶର ଛବି ପରକାଶ ।

ତୋ ପୁଣ୍ୟ ଶରୀର ଲୋମ ଗୋଟି ଗୋଟି

ଭାବୁକ ଅନ୍ତରେ ଭାବ କୋଟି କୋଟି-

ଜନ୍ମାଇ ଦେଖାଏ କେତେ କେତେ ଚିତ୍ର

ସଂସାରେ ଦୁର୍ଲ୍ଲଭ ଯାର ମାନଚିତ୍ର ।

ମୁହିଁ ଭାଇ, ନୁହେଁ ତୋପରି ସରଳ,

ମୁଖେ ମୋର ମଧୁ, ହୃଦୟେ ଗରଳ;

ଭାବେଁ ଏକ କଥା, କହେଁ ପୁଣି ଆନ,

ଅନ୍ତର ବାହାର ନୁହଇ ସମାନ;

ମୁଖେ ଯାକୁ ଡାକେଁ ବନ୍ଧୁ ବନ୍ଧୁ ବୋଲି,

କ୍ଷୀର ସଙ୍ଗେ ବିଷ ତାକୁ ଦିଏଁ ଗୋଳି ।

କିଛି ନାହିଁ, ମିଛେ କରଇ ଗରବ,

ଗୃହେ ଉପବାସ, ବାହାନା ବିଭବ !

ଶତଗ୍ରନ୍ଥି ବସ୍ତ୍ର ନ ଥାଏ ମୋ ଘରେ,

ମାଗି ଲୁଗା ବସେଁ ‘ସଭ୍ୟ-ସମାଜ’ରେ !

ଦାଣ୍ଡେ ଭଣ୍ଡ ପରି ଫୁଲାଇଣ ଛାତି

ଚାଲେ, ଚାଲେ ଯଥା ମଦମତ୍ତ ହାତୀ !

କିନ୍ତୁ ଭାଇ, ତୋର ମହତ ବେଭାର

ଜାଣେ ସେହୁ, ଯାର ଅନ୍ତର ଉଦାର ।

ନାହିଁ ତୋ ଭିତରେ କପଟ ଛଳନା,

ମୁଖେ ଚାରୁ ହାସ, ହୃଦୟେ ଭର୍ତ୍ସନା ।

ଭିତର ବାହାର ତୋର ଏକାକାର,

ତୋତେ ତୋହ ପରି ଦେଖଇ ସଂସାର ।

ସାଧୁ ଯେଣୁ ତୁହି ତୋ ମୁଖ ସୁନ୍ଦର

ଅଟେ ସୂଚୀ ତୋର ହୃଦୟ-ଗ୍ରନ୍ଥର ।

ମୋ ମୁଖ ମୁଁ ଭାବେଁ କପଟତା ପାଇଁ

ଏ ସଂସାରେ ଅଛି ବିଧାତା ଭିଆଇ ।

ତେଣୁ ସେହିରୂପେ କରେଁ ମୁଁ କରମ,

ଗରବେ ଭାବେ ତା’ ସଭ୍ୟତା ଧରମ ।

ଏହିମତେ ଭାଇ କାଟେ ମୁହିଁ କାଳ,

ଲଭେଁ ମାତ୍ର ଫଳ ସଂସାର-ଜଞ୍ଜାଳ ।

ତୋର ସରଳତା ମୋ ପକ୍ଷେ ସ୍ୱପନ,

ଧନ୍ୟ ଚିନ୍ତି ତୋର ଆଦର୍ଶ ଜୀବନ ।

(୨)

ହେ’ ପଲ୍ଲୀ-କୃଷକ ସରଳ ସୁନ୍ଦର,

ତୋ ଦୁଃଖେ ବ୍ୟଥିତ ହୁଏ ମୋ ଅନ୍ତର ।

ରବି ତଳେ ବାସ କରି କିଏ ଆଉ

ତୋ ପରି ସହୁ ବିପଦର ଦାଉ !

ବୈଶାଖ ପ୍ରଚଣ୍ଡ ମାର୍ତ୍ତଣ୍ଡ କିରଣ,

ଶ୍ରାବଣର ଧାରା, ବଜ୍ର ଗରଜନ;

ହେମନ୍ତର ହିମ, ପୌଷର ପ୍ରବଳ

ଶୀତ ସହି ଏଡ଼େ ଯମର କବଳ ?

କିଏ ତୋହ ପରି ଖଟି ବାର ମାସ

ବରଷେ ନ ମାସ ରହେ ଉପବାସ ?

ତା’ ଉପରେ ପୁଣି କେତେ ତୋର ପ୍ରଭୁ !

ତାଙ୍କୁ ତୋଷୁ ତୋଷୁ ଯାଏ ତୋର ସବୁ ।

କେତେ ତା’ ମଧ୍ୟରୁ ପଶୁବୃତ୍ତିଧାରୀ

ହୃଦୟ-ବିହୀନ ହୀନ ନୀଚାଚାରୀ-

ନାନାରୂପେ ତୋର ଶୋଷନ୍ତି ଶୋଣିତ;

ଧିକ ସେ ଜୀବନ ପାଷାଣ ପିହିତ !

ଯେତେ ଥିଲେ ତହିଁ ଭଦ୍ରତାର ଢଙ୍ଗ

ପିଶାଚ ପିଶିତେ ଗଢ଼ା ସେହୁ ଅଙ୍ଗ !

ନରକର କୀଟ ତହିଁ ଭେଳା ଭେଳା

ଦୁଃଖୀ ତଣ୍ଟି ଚିପି କା’ର ବା କି ହେଲା ।

ଅଧର୍ମର ବିତ୍ତ କେବେ କାହିଁ ନେଇ

ଶାନ୍ତି ତଳପରେ ଶୋଇ ନାହିଁ କେହି !

ଧର୍ମେ ସୁଖଶାନ୍ତି-ଏ ଧ୍ରୁବ ବଚନ

କେଉଁ ଶାପବଳେ ଭୁଲୁଅଛି ଜନ !

କରଭାରେ ତୋର ନଇଁଲାଣି ମଥା,

ନୟନ-ଆଶାରେ କହୁ ତୋର କଥା !

ଏ ସଂସାରେ କିଏ ଦେଖେ ସେ ଅସାର

କିଏ ଶୁଣେ ଭାଇ, ତୋର ହାହାକାର !

‘ଅନ୍ନ ଅନ୍ନ’ ବୋଲି ଯେବେ ଶିଶୁଗଣ

ତୋର ଘରେ ନିତି କରନ୍ତି କ୍ରନ୍ଦନ-

ସେ କ୍ରନ୍ଦନ-ରୋଳ କୁଟୀର ମଥାନ

ଭେଦି ଆକାଶକୁ କରଇ ପ୍ରୟାଣ ।

ବେଳେ ବେଳେ ତାର ମୃଦୁ ପ୍ରତିଧ୍ୱନି

ଓହ୍ଲାଇ ଆକାଶୁ ଆସଇ ଅବନୀ ।

ପ୍ରତିଧ୍ୱନି ଛଳେ ସରଗ ଦେବତା

ବାରେ ବାରେ ଭବେ ପେଷନ୍ତି ବାରତା ।

କଳପନା କାନେ କହେ ସେ ସମ୍ବାଦ-

‘‘ଶିକ୍ଷିତ କି ଦେଖେ ତୋର ଏ ବିଷାଦ ?

ତୋ ଦୁଃଖେ କି ସେହୁ ନୁହଇ ବିକଳ ?

ଧିକ ତେବେ ତାର ଶିକ୍ଷାଦୀକ୍ଷା ଫଳ ।’’

(୩)

ହେ ପଲ୍ଲୀ-କୃଷକ ସରଳ ସୁନ୍ଦର,

ଚିନ୍ତି ତୋର କଥା କାନ୍ଦେ ମୋ ଅନ୍ତର ।

ତୋର କେତେ ଦିଗୁଁ ଦୁଃଖ-ଛାୟା ଆସି

ମୋର କ୍ଷୁଦ୍ର ପ୍ରାଣ ପକାଉଛି ଗ୍ରାସି ।

ଯେତେ ଭାବେଁ ତେତେ ଦିଶେ ତୋର ଦୁଃଖ

ବିଧିର କି ଲେଖା ସୁଖର ମୟୁଖ-

ଉଜଳିବ ନାହିଁ ତୋର ଅମାରାତି;

ନ ଦେଖିବ କେହି ତୋ ଜୀବନ ଭାତି ?

କର୍ମ କରି କରି କାଟୁ ତୁ ଜୀବନ,

ସୁଖଭୋଗ ତୋର ଦିବସ ସ୍ୱପନ;

ଥାଉ ସୁଖଭୋଗ, ପରିବାର ପାଇଁ

ଏକାବେଳେ ଅନ୍ନ ତୋର ମିଳେ ନାହିଁ !

ବୁଣୁ, କାଟୁ ଧାନ, କରୁ ତା’ ଅମଳ

କୁହୁକେ ଯାଏ ତା’ ଲଙ୍ଘିଣ ସାଗର;

ତହିଁ ମହାଯଜ୍ଞେ ବିଳାସିତା ପଦେ

ଧନୀଏ ଅର୍ପନ୍ତି ହର୍ଷ ଗଦଗଦେ ।

ଯେ ଯଜ୍ଞ ହୋତାଏ; କରନ୍ତି ପ୍ରଚାର-

‘‘ସତ ସେ ଭାରତ ବିଭବ ଭଣ୍ଡାର ।

ସ୍ୱର୍ଣ୍ଣବୃକ୍ଷେ ତହିଁ ମୁକୁତାର ଫଳ

ଫଳେ ମାଳ ମାଳ ଦିଶଇ ସୁନ୍ଦର ।

ସେ ଦେଶ ଅଳକା, କି ଅବା ସେ କଥା

ସ୍ୱର୍ଣ୍ଣପ୍ରସୂ ଭୂମି ଅଛି କି ଅନ୍ୟଥା ?

ସ୍ୱର୍ଣ୍ଣପ୍ରସୂ ଭୂମି ଭାଇ କୃଷିବଳ,

କରଇ କି ଚାଷ ଏବେ ତୋ ଲଙ୍ଗଳ ?

ଅବା ଯେବେ ଶେଷ ସ୍ୱାଧୀନ ନୃପତି

ତ୍ରିବେଣୀରେ ଯାର ଟେକା ଥିଲା ଛତି-

ଯାହାଙ୍କ ଆଦେଶେ ଅସଂଖ୍ୟ ଦେଉଳ

ଅତୁଳ ଉତ୍କଳେ ହେଲା କ୍ଷଣେ ଠୁଳ-

ଖୋଳାଇଲେ ଯେହୁ ଶତ ଶତ ସର,

ଥିଲା ଯାଙ୍କ ଅଙ୍ଗେ ସିଂହ ସମ ବଳ-

ଦେଖି ଯାହାଙ୍କର ଚଣ୍ଡ ସୈନ୍ୟ ଥାଟ

ଶତ୍ରୁଏ ଆଗହୁଁ କାଟୁଥିଲେ ବାଟ-

ସେ ମୁକୁନ୍ଦଦେବ ଧୀର ବୀରମଣି

ଜନ୍ମଭୂମି-ସେବା ମହାବ୍ରତ ଗଣି-

ଜାଣିଣ ଆଗହୁଁ ଯବନର ପଦ-

ପରଶେ ଉଡ଼ିବ ଦେଶର ସମ୍ପଦ-

କାଟି ଲକ୍ଷ ମଥା, ଶେଷେ ନିଜ ଶିର

ଦେଲେ ବଳି ହିତେ ଜନମଭୂମିର ।

ଗୋହିରାରୁ ବହି ଯବନ ରକତ

ସ୍ୱର୍ଣ୍ଣପ୍ରସୂ ନାମ କଲା କି ଗୁପତ ?

(୪)

ହେ’ ପଲ୍ଲୀକୃଷକ ସରଳ, ସୁନ୍ଦର,

ତୋ ଦଶା ମନ୍ଥେ ମୋ ମାନସ-ସାଗର ।

କି କରିଚି ଭାଇ, ତୋହପରି ଦୀନ,

ସଂସାରରେ ହେୟ ଜୀବ ମୁହିଁ ହୀନ ।

ହୋଇଥାନ୍ତି ଯେବେ ଭାବୁକ ବା କବି

ହୃଦୟ-ଶୋଣିତେ ଚିତ୍ରି ତୋର ଛବି

ନରନାରୀ ପ୍ରାଣେ ଆଣନ୍ତି କରୁଣା

ଭାଙ୍ଗନ୍ତି ତୋ ପ୍ରତି ଧନିକର ଘୃଣା;

ନାଶନ୍ତି କ୍ଷଣକେ ଧନୀର ବିଳାସ,

ଟଳାନ୍ତି ଶିକ୍ଷିତ ସମାଜ ଉଦାସ;

ପ୍ରତି ପ୍ରାଣେ ଚାଲି ଚପଳାର କଣା,

ପେଶନ୍ତି ମାନବେ କର୍ମର ଅଗଣା;

ତହିଁ ଭେରୀ ନାଦ କରି ମହାତାନେ

ସାହସ ଉତ୍ସାହ ଭରନ୍ତି ପରାଣେ;

ଦେଖାନ୍ତି ଜଗତେ ଲେଖନୀର ବଳ

ଅସିମୂନଠାରୁ ନୁହଇ ଦୁର୍ବଳ ।

ବୃଥା କାହିଁ ଏଡ଼େ ଇଚ୍ଚ ଉଚ୍ଚ କଥା,

କାହିଁ ମୋହ ପରି ଦୀନହୀନ ମଥା !

ଶୁଦ୍ଧ ସୁମଙ୍ଗଳ ମନୋରଥଚୟ,

ଦୀନ-ହୃଦେ ଉଇଁ ଲଭନ୍ତି ବିଲୟ ।

କହିଅଛି ଯାହା ଗୋହିରାରୁ ବହି

ଯବନ-ଶୋଣିତ କଲା ଛାର ମହୀ-

ନୁହେଁ ଅବା ସ୍ୱର୍ଣ୍ଣପ୍ରସୂ ଏହି ନାମ

ନାମ ଅନୁରୂପ କରୁଥିଲା କାମ-

ଗଲା ଏହିରୂପେ କିଛି କାଳ ବହି,

ଉତ୍କଳ ରହିଲା ନିଜ ଦଶା ସହି ।

ଯେବେ ନଦନଦୀ ପର୍ବତ ସାଗର

ଡେଇଁ ଆଗମିଲେ ବଣିକ ନିକର-

ବିଦେଶୀ ବୋଇତ ଭୀମ ଗରଜନ

ଶୁଣି ଗୃହଚୂଡ଼େ ବସି ପେଚାଗଣ-

ରାବିଲେ ଗୋମାୟୁ ଡିହେ ଡିହେ ବୁଲି,

ଭୟେ ଗୃହଲକ୍ଷ୍ମୀ ନ ଜାଳିଲା ଚୁଲି ।

କି ହେବ, କି ହେବ ଭାବୁ ଭାବୁ ଭୟେ

କେତେ ପ୍ରାଣୀ ଗଲେ ଶମନ-ନିଳୟେ ।

ଦେବଗ୍ରାମ ହେଲା ମହା ରଣସ୍ଥଳ,

ଆତଙ୍କେ ପଶୁଏ ନ ପିଇଲେ ଜଳ ।

ଦେଖୁ ଦେଖୁ ପୁଣି ବରୁଣେଇ ଝର

ସମର-ଶୋଣିତେ ଦିଶିଲା ପାଟଳ ।

ସେକାଳେ ଗଲେ କି ଉତ୍କଳୁ ଇନ୍ଦିରା ?

ସ୍ୱର୍ଣ୍ଣପ୍ରସୂ ଭୂମି ତହୁଁ କି ଲୁଚିଲା ?

(୫)

ହେ ପଲ୍ଲୀକୃଷକ ସରଳ ସୁନ୍ଦର,

ତୋ ନାମେ ଜନମେ, ମୋର କୁତୂହଳ ।

ସେନାପତି, ରଣସିଂହ, ଏ ସକଳ

ପଦ ତୋତେ କିଏ ଦେଲା କୃଷବଳ ?

କାହୁଁ ଲଭିଲୁ ଏ ପଦ ରୂପ ଧନ ?

କି କାର୍ଯ୍ୟ (ଏ) ଏ ସମ୍ମାନ କରିଛୁ ଅର୍ଜ୍ଜନ?

କେବେ ଦେଖିଛୁ କି ଭାଇ, ରଣସ୍ଥଳ ?

ବୃଥା ସେ ଭାବନା ତୁ ଦୀନ ଦୁର୍ବଳ !

ବହୁ ମାତ୍ର ପୂର୍ବପୁରୁଷ ନାମ,

ନ ଜାଣୁ ତା ଅର୍ଥ ଅବା ତା ସମ୍ମାନ ।

ନିକାଞ୍ଚନେ ଦିନେ ତୋର ପଦ କଥା

ବସି ଭାଳି ଭାଳି ଘୂରିଲା ମୋ ମଥା ।

କଳପନା । ଦେବୀ ବାଣୀ-ସହଚରୀ

ଦୟା କରି ନେଲେ ମୋର କର ଧରି ।

କାହିଁ ନେଲେ ତାର ନ ଜାଣେ ମୁଁ ନାମ

ଦେଖିଲେ ଯେ ଦୃଶ୍ୟ ଭାଷଣ ମହାନ-

ତା କ୍ଷୀଣ ଆଭାସ ହୃଦପଟେ ରହି

କେତେ ଚାରୁଚିତ୍ର ନୟନେ ନାଚଇ ।

ଦାସତ୍ୱ-ପେଷିତ ଧମନୀ-ଶୋଣିତ

ହୁଏ କ୍ଷଣେ ଉଷ୍ମ ଭାବି ସେ ଚରିତ ।

ଦେଖାଇଲେ ଦେବୀ, ‘‘ଦେଖ ଏ ସମର,

ବତ୍ସ, ନରସିଂହ ଉତ୍କଳକୁମର-

ଉତ୍କଳ-ନୃପତି ଧର୍ମପରାୟଣ

ଅର୍କ ଦେବାଳୟ କଲେ ଯେ ସ୍ଥାପନ-

ସିନ୍ଧୁ ତଟେ ଯାଙ୍କ ରାଜଇ ମନ୍ଦିର,

ବିଶ୍ୱକର୍ମା କର୍ମୁ ଅଟେ ଯା’ ରୁଚିର-

ଭାବି ଉତ୍କଳର ଅଧମ ସନ୍ତାନ

ହେବେ ଯେବେ ଦୀନହୀନ ମ୍ରିୟମାଣ-

ଜଗତ ଆଗରେ ଯାହାକୁ ଦେଖାଇ

ବୃଥା କର୍ମହୀନ କରିବେ ବଡ଼ାଇ-

ଯୁଗକର କର କରି ଯେହୁ ବ୍ୟୟ

ଅର୍ଜିଲେ ଧରମ ଅତୁଳ ଅକ୍ଷୟ-

କାହୁଁ ଆସି ଏହି ଉଦ୍ଧତ ଯବନ

ଚାରି ବାର ଶାନ୍ତି କରିଲେ ଭଗନ !

ଏହି ଶେଷ ବାର, ନରସିଂହ ପଣ

‘ସମସ୍ତ ଯବନ କରିବେ ନିଧନ ।।’’

ଦେଖୁଁ ଦେଖୁଁ ‘‘ଜୟ ନରସିଂହ’’ ଧ୍ୱନି

ଜେତା ସେନା ମୁଖୁଁ ବ୍ୟାପିଲା ଅବନୀ ।

ଲଭି କେତେ ପଦ ଶିରେ ଶିରସ୍ତ୍ରାଣ

ବାନ୍ଧ ରାଜଥାଟ କରିଲ ପ୍ରୟାଣ ।

ହେ ପଲ୍ଲୀ କୃଷକ ସରଳ ସୁନ୍ଦର,

ଦେଖିଲି ମୁଁ କେତେ ଭୀଷଣ ସମର !

ଅନ୍ୟସ୍ଥାନେ ଦେବୀ କହିଲେ ବଚନ-

‘‘ଜନ୍ମଭୂମି ରକ୍ଷା ପାଇଁ ଏହୁ ରଣ ।

ଶ୍ରୀପ୍ରତାପରୁଦ୍ର ବୀର ଅରିନ୍ଦମ

ଦାକ୍ଷିଣାତ୍ୟେ ଶୁଣି ଯବନ-କରମ-

ଦୀନ ଦଶା ନିଜ ଇଷ୍ଟଦେବଙ୍କର

ଆଶ୍ରିଥିବା ହ୍ରଦ-ପର୍ବତ-କନ୍ଦର-

ବିଦ୍ୟୁତର ବେଗେ ଆସି ଅରି-ଗର୍ବ

କରୁଛନ୍ତି ଦେଖ କି ବିକ୍ରମେ ଖର୍ବ ।

ଦେଖ ଦେଖ ସରିଗଲା ମହାରଣ,

କାହିଁ ଯବନରୁ ନାହିଁ ଏକ ଜଣ !

ସୈନ୍ୟ ସାମନ୍ତଙ୍କୁ ପାଶେ ରାଜା ରାଇ

ଶିରରେ ଶିରପା ଦେଲେଣି ବନ୍ଧାଇ ।’’

ଏହିପରି ମୁହିଁ ଦେବୀ-ପରସାଦେ

କେତେ ରଣସ୍ଥଳୀ ଦେଖିଲି ଆହ୍ଲାଦେ ।

ମୋ ଦେଶର ରାଜା ମୋ ଭାଇ ପରଜା

ଏକ ସଙ୍ଗେ ଟେକି ସ୍ୱଦେଶର ଧ୍ୱଜା-

ଯୁଝୁଛନ୍ତି ରଣେ ନାଶିବାକୁ ଅରି,

ସର୍ବେ ଗୋଟି ଗୋଟି ସିଂହସମ ବଳୀ ।

ଦେଖି ମନେ ହେଲା ଆନନ୍ଦ ଅପାର,

ଭାବିଲି, ଧନ୍ୟ ଏ ଉତ୍କଳ ସଂସାର !

ବାହୁଡ଼ିବା ବେଳେ ଦେବୀ ଯେ ବଚନ

ଭାଷିନେଲେ ବିଦା, ଦହିଲା ମୋ ମନ-

‘‘ଏ ରୁଚିର ଛବି ଦେଶେ ଚିରଦିନ

ନ ରହିବ ବତ୍ସ, ଦିଶିବ ମଳିନ ।

ଆଜି ସୈନ୍ୟରୂପେ ଯେହୁ ଅସି ଧରି

ହର୍ଯ୍ୟକ୍ଷ ନୟନେ ଧାଇଁ ନାଶେ ଅରି-

କାଲି ତାର ସୁତ ଦୁରଦୃଷ୍ଟବଳେ

ନ ଦେଖିବ ଅସି ନୟନ ଯୁଗଳେ ।

ଆଜି ଯେହୁ ରଣସିଂହ ସେନାପତି

କାଲି ହେବ ସେହୁ କୃଷି ଶାନ୍ତମତି ।

ଆସି ଛାଡ଼ି ସେହୁ ଧରିବ ଲଙ୍ଗଳ

ଗ୍ରହଦୋଷେ ନ ପୂରିବ ତା ଉଦର ।’’

ହେ ଭାଇ କୃଷକ, ଜାଣିଲି ମୁଁ ଏବେ

ଏଡ଼େ ବଡ଼ ପଦ ଲଭିଛୁ ତୁ କେବେ;

କାହିଁକି ତୋହର ଏହି ହୀନ ଦଶା

କାହାର ନିଗ୍ରହେ ନାହିଁ ତୋର ବସା ।

ସବୁ କାଳ ଭାଇ, ନ ଯାଏ ସମାନ,

ପଡ଼ିଛୁ ତୁ, ଦିନେ ହେବ ତୋ ଉତ୍ଥାନ ।

Image

 

ଆଶ୍ୱିନ

 

(୧)

ଆସିଛୁ ଆଶ୍ୱିନ, ବରଷକେ ବୁଲି

ଆଜି ପୁଣି ମୋର ପାଶେ,

ଶରତ ସୁନ୍ଦର ଅପଘନ ତୋର

ନେତ୍ର ଚାରିପାଶେ ଭାସେ ।

ଯେଣେ ଅନାଉଛି ତୋ ଲାବଣ୍ୟ ଲୀଳା

ତୋହରି ଶୋଭା ସୌରଭ,

କହ କହ ମୋତେ କାହୁଁ ଲଭିଅଛୁ

ଏତେ କବିତ୍ୱ ଗୌରବ !

ଅନିମେଷ ନେତ୍ରେ ଦେଖିଲି ତୋ ଶୋଭା

ଚିକୁରୁଁ ଚରଣ ଯାଏ,

ତଥାପି ନ ଜାଣେ କି ନିଶା ନୟନେ

ତୋ ପ୍ରତି ମୋ ମନ ଧାଏଁ !

ଆସ ଆସ ପାଶେ ପ୍ରେମମୟ ବନ୍ଧୁ,

ନିଅ ହେ ସ୍ନେହର ମାଳା,

ପାଶେ ରହିଅଛି ବନ୍ଦାଣ ଥାଳିଆ

ସୁରଭି କୁସୁମ ଡାଲା ।

(୨)

କି ଅବା ଏ ମାଳା କି ଅବା ଏ ଡାଲା

ତୋ ଲାଗି ଆଶ୍ୱିନ, ଆଜି

ତୋର ପୂଜା ପାଇଁ ଆଜି ଆୟୋଜନ

ଧରାସାର ଶୋଭାରାଜି !

ବୃକ୍ଷେ ବୃକ୍ଷେ ଆଜି ଫୁଟେ ପାରିଜାତ

ଛୁଟେ ନନ୍ଦନର ବାସ,

କେତେ ବୈତାଳିକ ଗାଆନ୍ତି ତୋ ସ୍ତବ

ବୁଲି ତୋର ଚଉପାଶ;

ନୀଳାମ୍ବରୀ ଶାଟୀ ପିନ୍ଧି କେତେ ଶାଖା

ଶ୍ରୀକର-ପଲ୍ଲବ ଚାଳି,

କେତେ ସମାଦାରେ ସ୍ୱାଗତ ଜଣାଇ

ଦିଅନ୍ତି ଶରଧା ଢାଳି;

ଜଳେ ସ୍ଥଳେ ନଭେ ଆନନ୍ଦ-ଲହରୀ

ଉଠେ ଆଜି ତୋହ ପାଇଁ,

ସୁନ୍ଦରୀ ପ୍ରକୃତି ମହାନନ୍ଦେ ମାତି

ବୁଲେ ତୋର ଗୀତ ଗାଇ !

(୩)

ମାସେ ମାସେ କେତେ ପ୍ରଭାତ ପ୍ରଦୋଷ

ଶୋଭା ଦେଖିଅଛି ବସି,

ତୋ ପାଇଁ ଆଶ୍ୱିନ, ନୂଆ ପରକାରେ

ଯାଏ ଆସେ ରବି ଶଶୀ ।

କାହିଁ କେତେ ଦିନୁ ହିରଣ୍ମୟ କର

ରଖିଥିଲା ରବି ଧରି,

ପାହୁ ପାହୁ ରାତି କେତେ ସମାଦାରେ

ଦିଏ ତୋ ଅଗଣା ଭରି !

ପ୍ରଭାତ ସମୀରେ ଖେଳୁଥାଏ ଧୀରେ

କିଆରିରେ ନୂଆ ଧାନ,

ନବ ରବିକର ପଡ଼ି ନବ ଶୋଭା,

ସୃଜି ହରେ ମନ ପ୍ରାଣ;

ଚାହିଁ ଚାହିଁ ତଳେ ଚାରୁ ପଲ୍ଲୀ ବିଲେ

ପ୍ରାଣ ଭରି ଗୀତ ଗାଇ

ବସା ତେଜି ପକ୍ଷୀ କାହିଁ କେଉଁ ଦେଶେ

ପେଟ ପାଇଁ ଯାଏ ଧାଇଁ ।

(୪)

ଆଶ୍ୱିନ, ତୋ ଶଶୀ ନୀଳାକାଶେ ବସି

ହସି କେତେ ପରକାରେ

କି ଭାବନା ଭାବି କୌମୁଦି-ଅମୃତ

ଧରାଦେହେ ନିତି ଢାଳେ;

ସେ ଅମୃତ ସ୍ରୋତେ ଧୋଇ ଧରାତନୁ

ଦିଶେ କିବା ମନୋଲୋଭା,

ଥିଲେ ଅବା ଥିବ ନନ୍ଦନେ, ଆଉ ଏ

ମରତେ ନାହିଁ ସେ ଶୋଭା ।

ସେ ଅମୃତେ ବୁଡ଼ି ପଲ୍ଲୀ-ସୁକୁମାରୀ

ସରଳା କୁମାରୀକୁଳ

ନାଚି ଗୀତ ଗାଇ କି ଲାବଣ୍ୟ ଠାଣି

ଦେଖାଇ ହୁଅନ୍ତି ଠୁଳ ।

ମଧୁର କଣ୍ଠର ସେ ମଧୁର ଗୀତ

ବଜାଏ ମୋ ପ୍ରାଣେ ବୀଣା,

ପଲ୍ଲୀ-କୁମାରୀର ସରଳ ସଙ୍ଗୀତେ

ଚିରଦିନ ମୁହଁ କିଣା ।

(୫)

ଆଶ୍ୱିନର ଆଜି କୌମୁଦୀ-ଉତ୍ସବେ

ପଡ଼ୁଅଛି ମୋର ମନେ,

ଶୈଶବ-ସଙ୍ଗିନୀ ଭଗିନୀଟି ମୋର

ଗଲା କାହିଁ ଯଉବନେ !

ନାଚୁଥିଲା କେତେ ଗାଇ ଗ୍ରାମ୍ୟ-ଗୀତ

ହସି ଖେଳି ସଖୀମେଳେ,

ଦାରୁଣ ଦଇବ ଘେନିଗଲା କାହିଁ

ଜୀବନ-ଯୌବନ ବେଳେ !

ଅଳପ ଦିନରେ ସରିଲା ସଉଦା

ତାର ଏହି ଭବହାଟେ !

ତା’ ମଧୁର ସ୍ମୃତି ନିତି ଉଭା ହୁଏ

ବଳେ ମୋ ଜୀବନ ବାଟେ ।

ଗଲା ଛାଡ଼ି ସତ ପ୍ରାଣର ଭଗିନୀ

ଏକା ମୋତେ ଏ ସଂସାରେ,

ମନେ ବଡ଼ ଆଶା ଦେଖିବି ମୁଁ ତାକୁ

ଭବ-ଯବନିକା ପାରେ ।

(୬)

ତୋ ମାଜଣା ଲାଗି ଶୁଭୁ ଶରତର

କିବା ନିତି ଆୟୋଜନ

ଧୂଳି କଣାଟିଏ ପଡ଼ିଥିଲେ କାହିଁ

ପୋଛି ଦେଉଛି ବହନ ।

ଧରାଦେହ ଝାଡ଼ି କେତେ ଭୋଗବାଢ଼ି

ତୋହ ପାଇଁ ଅଛି ବସି !

ଆସ ଆସ ବୋଲି ଡାକେ ସୁକୁମାରୀ

ଶରତ ଶେଫାଳୀ ହସି ।

କୁମୁଦ କମଳ ସରେ ଢଳ ଢଳ

ହୋଇ ବୋଲେ ଆସ ବନ୍ଧୁ !

ସଜାଡ଼ି ରଖିଛୁଁ ପାଶେ ନିଅ ଆସି

ନନ୍ଦନ-କାନନ-ମଧୁ ।

କଳେ, ସ୍ଥଳେ, ବିଲେ, ବାରି ବଗିଚାରେ

ନାଚେ ତାଳେ ତରୁଦଲ୍ଲୀ

ଆନନ୍ଦେ ଅଧୀର ହୋଇ ଗାଏ ଗୀତ

ନଦୀ ତୀରେ ଶ୍ୟାମ ପଲ୍ଲୀ ।

(୭)

ପଲ୍ଲୀ କୁଟୀରରେ କୃଷକ ଘରଣୀ

ପଡ଼ି ରହିଥିଲା ଦୁଃଖେ,

ତୋତେ ଦେଖି ଆଜି ଏ ଆନନ୍ଦ-ଆଭା

କାହୁଁ ଆସେ ତାର ମୁଖେ ?

ଦୟା ବହି ତୁହି କି ଅଭୟ ବାଣୀ

ଦେଉଛୁ ତା’ କାନେ ଢାଳି,

ନାଚି ଉଠେ ଆଜି ପ୍ରାଣ ତାର କିପାଁ

କି ଭବିଷ୍ୟ ସୁଖ ଭାଳି ?

ତୋ ହୃଦ-ସଂଖାଳି ଶିଶୁ କୋଳେ ଧରି

ବୋଲେ ଉଠ ବାପଧନ,

ଆଶ୍ୱିନ ସଙ୍ଗରେ ଲକ୍ଷ୍ମୀ ଆସିଛନ୍ତି

ସରିବ ସବୁ କଷଣ;

ଖଳା ବାରିଖଣ୍ଡ ଲିପି ପୋଛିଦିଏଁ

ଠାକୁରାଣୀ ପୂଜାପାଇଁ,

ଆଣେ ସଜ ଫୁଲ ଦୂବ ଆମ୍ବଡାଳ

ବେଗେ ଆଉ ବେଳ ନାହିଁ ।

(୮)

କି ଶୋଭା ସମ୍ପଦ କବିତ୍ୱ ଗରବ

ନିଜ ଅବୟବେ ଭରି

ଆସିଲୁ ଆଶ୍ୱିନ, କେଉଁ ସରଗରୁ

ଧରାଧାମେ ଅବତରି !

ତୋ ନିବାସ ପାଇଁ ହେ ସରଗ ଭାଇ

ନୁହେଁ ଧରା ସାର ସ୍ଥାନ,

ଏ ସଂସାର ଶୋଭା କ୍ଷଣକେ ବିକଶି

କ୍ଷଣେ ହୁଏ ଅବସାନ ।

ଫୁଟୁ ଫୁଟୁ କଢ଼ି ପଡ଼ଇ ମଉଳି

ପଲକେ ତପନ-ତାପେ,

ପ୍ରେମ ପବିତ୍ରତା କ୍ଷଣେ ମୁଖ ଟେକି

ଲୁଚେ ଦ୍ୱେଷ ହିଂସା ପାପେ ।

ନଶ୍ୱର ବିଶ୍ୱରେ କି ସୁଖ ଆଶାରେ

ଖେଳିବୁ ତୁ’ ତୋର ଖେଳ !

ଯାଅ ଯହିଁ ତହିଁ ଶୋଭା ସଙ୍ଗୀତର

ନିତି ଲାଗେ ମଧୁମେଳେ ।

Image

 

ଧଉଳି ପାହାଡ଼

 

(୧)

ଧଉଳି ପାହାଡ଼, ଧଉଳି ପାହାଡ଼,

 

କାହିଁକି ମଉନେ ରହିଛ ଆଜି,

ଦଇଆ ବାଲିରେ କେତେ ଖୋଜୁଥିବ

 

ଅତୀତ ଗୌରବ-ଗରବରାଜି !

ଧଉଳି ପାହାଡ଼, ଧଉଳି ପାହାଡ଼,

 

ରୁକ୍ଷ ମୁଖ ଦୁଃଖେ ଗୁଳ୍ମେ ଆବୋରି

ତପସ୍ୱୀ ପରାଏ ବସି ରହିଅଛି

 

କି ଭାବନା ଭାବି ଦିବାଶର୍ବରୀ ।

ଧଉଳି ପାହାଡ଼, ଧଉଳି ପାହାଡ଼,

 

ଲଜ୍ଜା ଦୁଃଖ ତେଜି ଟେକ ହେ ମଥା,

ଶୁଣାଅ ସେ କାଳ ଗୌରବ-କାହାଣୀ

 

କହ ହେ ସେ କାଳ ଗରବ କଥା ।

ଧଉଳି ପାହାଡ଼, ଧଉଳି ପାହାଡ଼,

 

ଆଶୋକ ରାଜନ ରହିଲେ କାହିଁ ?

କାହିଁ ସେହି ଧର୍ମ, କାହିଁ ସେ କର୍ମ

 

ତିଳେ କିଏ କାଳେ ମିଳିବ ନାହିଁ !

(୨)

ଧଉଳି ପାହାଡ଼, ଧଉଳି ପାହାଡ଼,

 

ଶୋଭେ ତବ ଶିରେ ଗୌରବ-ଟୀକା

ଗୁରୁ ପରି ନିଜେ ନୃପତି-ତନୟେ

 

ଶିଖାଇଛ ଧର୍ମ, ଦେଇଛ ଦୀକ୍ଷା ।

କଳ୍ପନାରେ ପ୍ରତେ ହୁଏ କାଲି ପରି

 

ଆସିଲେ ଉତ୍ତରୁ ସହସ୍ର ବୀର,

ରଣମଦେ ସର୍ବ ଶ୍ୱାପଦ ସମାନ

 

ଜାଣନ୍ତି କିପରି କାଟିବେ ଶିର,

ଯହିଁ ବାଟ କାଟି ଆସିଲେ ବହିଲା

 

ରକ୍ତସ୍ରୋତ ଆଗେ ସଙ୍କେତ ପରି,

ଯହିଁ ଗଲେ ତହିଁ ଖୋଜିଲେ କିପରି

 

ଅସିମୁନେ ବେଗେ ନାଶିବେ ଅରି,

ପିଇ ପିଇ ରକ୍ତ ତୃଷା ନ ମେଣ୍ଟିଲା,

 

ମହାନଦୀ-ନୀରେ ପଶିଲେ ଆସି,

ପରଶିଲା କ୍ଷଣି ମହାନଦୀ ଜଳ

 

କରୁ କରବାଳ ପଡ଼ିଲା ଖସି ।

ଥର ଥର କରି ତିନି ଥର ଆସି

 

ଧରିଲେ ଖସିଲା ଭୂତଳେ ଖରେ,

ଏ କି ଅଦଭୁତ କଥା ଭାବି ଭାବି

 

ଚକିତେ ସମ୍ମୁଖେ ଚାହିଁଲେ ବୀରେ,

ପର୍ବତ ପ୍ରମାଣେ ଦାଉ ଦାଉ ହୋଇ

 

ଦୂରରେ ଦିଶିଲା ରକ୍ତ ଅନଳ,

ମନେ ମନେ ବୀରେ ପ୍ରମାଦ ଗଣିଲେ

 

ଜାଣିଲେ ଏଥର ସରିଲା ବଳ ।

କର ଯୋଡ଼ି ବୀରେ ନୃପତି ସମ୍ମୁଖେ

 

ଜଣାଇଲେ, ‘ନାଥ ନ ଯିବା ଆଉ,

ଦେବ-ଲୀଳାଭୂମି ଏ କଳିଙ୍ଗ ଭୂମି,

 

ବୋଲୁଛନ୍ତି ଲୋକେ ଏ ଦେଶ ଥାଉ ।

ଦର୍ପେ ପଶୁ ପରି ଭାଷିଲେ ନୃପତି,

 

‘କାହିଁ କେଉଁଠାରେ ନାହିଁ ଦେବତା,

ଦେବତାର ଭୟ ଭୀରୁର ସମ୍ବଳ,

 

ଦୀନ ଦୁର୍ବଳର ପ୍ରାଣର କଥା,

ଅସି ମୋ ଦେବତା ସବୁ ସାଧିବାକୁ

 

ଏଥିରୁ ବା ବଡ଼ କି ଅଛି ଆଉ ?

ଶୁଣିଛି କଳିଙ୍ଗ ବୀରଭୂମି ବୋଲି

 

ଜିଣିବି ଗଲେ ମୋ ଜୀବନ ଯାଉ ।

ଉଠ ଉଠ ବୀରେ, ତେଜ ହେ ବିଷାଦ,

 

ହେଜ ହେଁ ଅତୀତ ଗୌରବ କଥା,

କେତେ କଉଶଳେ ଜିଣିଛି ଯେ ଦେଶ

 

କରିବା କଳିଙ୍ଗ ସେ ଦେଶ ମଥା ।’

ଚିର ସାହସିକ କଳିଙ୍ଗ ତନୟେ

 

ହସି ଶତ୍ରୁ ସଙ୍ଗେ କଷିଲେ ବଳ;

କେତେ କାହିଁ ଶବ ପଡ଼ି ଗଡ଼ିଗଲେ

 

ଅରୁଣ ଦିଶିଲା ଦଇଆ ଜଳ,

ବିଜୟ ଉଲ୍ଲାସେ ଅଶୋକ ରାଜନ

 

ଗଣୁଥିଲେ ବସି ଶତ୍ରୁଙ୍କ ମଥା,

ଧଉଳି ପାହାଡ଼, ତୁନି ତୁନି କରି

 

କିବା ତାଙ୍କ କାନେ କହିଲ କଥା !

 

 

(୩)

ଧଉଳି ପାହାଡ଼, ଧଉଳି ପାହାଡ଼,

 

କି କଥା କହିଲ ରାଜାଙ୍କ କାନେ !

କି ଗାଥା ଗାଇଲ, ଘଡ଼ିକେ ରାଜନ

 

ବୁଡ଼ିଲେ ଅପୂର୍ବ ସମାଧି ଧ୍ୟାନେ !

ରଣୋନ୍ମାଦେ ମାତି ବିଜୟ ଉଲ୍ଲାସେ

 

ଗଡ଼ୁ୍‌ଥିଲେ ତବ ଚରଣତଳେ,

ଗଢ଼ୁଥିଲେ କେତେ ଆଶାର ସଉଧ,

 

କାହିଁକି ଭାସିଲେ ନୟନ ଜଳେ ?

ଧ୍ୟାନଭଙ୍ଗେ କ୍ଷଣେ ଚାହିଁଲେ ଚକିତେ

 

ତବ ଶିରେ, ପୁଣି ପୋତିଲେ ମଥା

‘କି କଲି ! କି କଲି ! ’ କହିଲେ ବିକଳେ

 

ଲଭିଲେ ବା ପ୍ରାଣେ ଦାରୁଣ ବ୍ୟଥା;

‘କି କଲି, କି କଲି କାହୁଁ ଆସି କାହିଁ

 

ପଡ଼ିଲି କି ଘୋର ଜିଗୀଷା ଜାଲେ !

‘କିବା କଥା ଲାଗିଏ ସବୁ ବିହିଲି,

 

ଲେଖିଲା କି ବିହି ଏ ଦଶା ଭାଲେ !

‘ଶୋଣିତର ସ୍ରୋତ ନିଜେ ବୁହାଇଲି,

 

କେସନ ଏ ଶୋକ ନିଭିବ ମୋର,

‘ଆଗେ ଆଗେ ମୋର ଜଳାଇ ବସିଲି

 

ଜୀବନାଶୀ ଚିତା ଭୀଷଣ ଘୋର ?

‘କେତେ ପ୍ରାଣୀ ନିଜେ ନାଶିଲି ଏ କରେ

 

କେତେ ଦେଶ କଲି ଶ୍ମଶାନମୟ

‘କେତେ ସୁଖସୌଧେ ଜାଳିଛି ଅନଳ

 

କେତେ ପ୍ରାଣେ ମୁହିଁ ଆଣିଛି ଭୟ !

‘କି ପିପାସା ଘେନି ଲଭିଲି ଜନମ,

 

କାଳେ କାଳେ ତାର ନ ହେଲା ଶାନ୍ତି,

‘ସାରା ଜୀବନଟା ଆବୋରି ବସିଲା

 

କି ଅସାର ଆଶା ମଧୁର ଭ୍ରାନ୍ତି !

‘ଲୁବ୍‌ଧ ମୃଗ ପରି ମୁଗ୍‌ଧ ହୋଇ ମୁହିଁ

 

ଇନ୍ଦ୍ରିୟର ସୁଖେ କାଟିଲି କାଳ,

‘ଜ୍ୱଳନ୍ତ ଅନଳେ ଇନ୍ଧନ ଯୋଗାଇ

 

ପାପେ ପୂର୍ଣ୍ଣ କଲି ଏହି ସଂସାର !

‘ଧୂମକେତୁ ପରି ଭୀମ ପୁଚ୍ଛ ଧରି

 

ବୁଣିଲି ମଡ଼କ ଯାତନାରାଜି,

‘ଲୋକ ଅଶ୍ରୁ ରକ୍ତସ୍ରୋତେ ଭାସି ଭାସି

 

ଏ ଗିରି ଚରଣେ ଆସିଛି ଆଜି ।

‘ଏ ଗିରି ଚରଣେ ଏହି ନଦୀକୂଳେ

 

ଲଭିଲିଣି ଆଜି ପରମ ଶିକ୍ଷା,

‘ଏ କଳିଙ୍ଗ ଦେଶ ହେଲେ ମୋର ଗୁରୁ

 

ଘେନିବି ଏଥି ମୋ ଜୀବନ-ଦୀକ୍ଷା ।

‘ଏହି ଦେଶେ ବସି ଏହି ନଦୀକୂଳେ

 

ଫେରାଇବି ମୋର ଜୀବନ-ଗତି,

‘ସାକ୍ଷୀ ରହ ମୋର ସର୍ବ ଦିଗପାଳ,

 

ସାକ୍ଷୀ ରହି ମୋର ଜୀବନ-ପତି !

‘ଶୁଭଯୋଗେ ସତ କଳିଙ୍ଗ-ବିଜୟେ

 

ବଳିଲା ମୋ ମନ ଟଳିଲା ବଳ

‘ଦେବ-ଦେଶେ ଆସି ଦେବ-ଅନୁଗ୍ରହେ

 

ଭୋଗିଲି ଏ କେଉଁ ତପସ୍ୟା-ଫଳ ।

‘ଏହି ତପଫଳ, ଏହି ଧର୍ମବଳ

 

ଜୀବନର ମୋର ହେଉ ଭୂଷଣ,

‘ସେହି ବଳେ ପ୍ରଭୁ ଘୁଞ୍ଚାଇଦିଅ ହେ

 

ଲକ୍ଷ ଲକ୍ଷ ପ୍ରାଣୀ-ପ୍ରାଣ-କଷଣ ।’

(୪)

ପ୍ରିୟ ପ୍ରତିବେଶୀ ଧଉଳି ପାହାଡ଼,

 

ତୁମ୍ଭ ମୁଖ ମୁହିଁ ଦେଖୁଛି ନିତି

ଗୌରବ-ଶିଖରେ ଅନାଇ ଅନାଇ

 

କେତେ ଦିନ ମୋର ଯାଇଛି ବିତି ।

ସୁନ୍ଦର ମଧୁର ଗୋଧୂଳି-ଗଗନେ

 

ଦିନ କାମ ସାରି ଦିବସ-ପତି

ସିନ୍ଦୂର ଲହରି ଖେଳାଇ ପଶ୍ଚିମେ

 

ଅସ୍ତାଚଳେ ବେଗେ କରନ୍ତି ଗତି;

ଗୋପାଳ କୃଷକ ସଙ୍ଗେ ଧେନୁପଲ

 

ଆବେଗ ହୃଦୟେ ଫେରନ୍ତି ଘରେ;

ତିମିର-ବସନେ ଆବରି ଶ୍ରୀଅଙ୍ଗ

 

ସନ୍ଧ୍ୟାଦେବୀ ବିଶ୍ୱେ ଆସନ୍ତି ଖରେ;

ଚାହିଁ ବସିଥାଏଁ ଧଉଳି ପାହାଡ଼,

 

ତବ ଶିରେ ଶୁଣେ ବିହଙ୍ଗ-ଗୀତି,

କାନେ ବାଜିଯାଏ କେତେ ଯୁଗ ବାଣୀ,

 

ବହି ଯାଏ ପ୍ରାଣେ ଅନନ୍ତ ପ୍ରୀତି

ଚାଲିଯାଏ ଆଗେ ଚକ୍ଷୁ ଝଲସାଇ

 

ପୁଣ୍ୟ ମହିମାର ଅକ୍ଷୟ ଛବି,

ବ୍ୟାକୁଳ ପରାଣେ ଅନାଇ ଦେଖଇଁ

 

ବୁଡ଼ିଗଲେ ଧୀରେ ପ୍ରଦୀପ୍ତ ରବି ।

ଏହିପରି ସିନା କଳିଙ୍ଗ-ତପନ

 

ବୁଡ଼ିଗଲେ ଦିନେ ଦଇଆ ତୀରେ,

ଏହିପରି ସିନା କଳିଙ୍ଗ-ବୀରତ୍ୱ

 

ଭାସିଗଲା କାଳ-ସାଗର-ନୀରେ ।

କେତେ କି ମହିମା କେତେ ଦୟା କ୍ଷମା

 

ଦଇଆ ଗରଭେ ଯାଇଛି ପଶି !

ସାକ୍ଷୀ ତାର ପାଶେ ଦେବାଳୟ ଦରୀ,

 

ଦୂରେ ତାର ସାକ୍ଷୀ ତପନ, ଶଶୀ ।

ଆସିଥିଲେ କି ହେ ସ୍ୱପନରେ ଭାସି

 

ସ୍ୱପନରେ ଖେଳି ଫେରିବେ ଘରେ ।

ଏତେ ଉଚ୍ଚ ଆଶା ବାସନା କି ସତେ

 

ଦି’ଦିନେ ବିକଶି ଦି’ଦିନେ ସରେ !

ଯଶ-ମନ୍ଦିରରେ ସାମନ୍ତ ବୋଲିଣ

 

ଭାଲେ ଲଭିଥିଲେ ଗୌରବ-ଟୀକା

ମହିମା-ଉଜ୍ଜ୍ୱଳ ସେ ବର ବପୁ କି

 

ପଡ଼ିଗଲା ଶେଷ ହେଲା ସେ ଶିକ୍ଷା !

କେତେ ଜାତି ହାତ ଧରି ଆଗେ ଚଳି

 

ଆଗୁଆ ହୋଇଣ ରଖିଲେ ନାମ,

ସତ୍ୟ ସାହସର ଜନମଭୂମିକୁ

 

ସତେ ମୋର ବିଧି ହୋଇଲେ ବାମ !

ରାଜା ରାଜଧାନୀ ପ୍ରାସାଦ ସରିଛି,

 

ଭାସିଗଲେ ସର୍ବେ ଦଇଆ ଜଳେ

ଛାୟା ତାର କି ହେ ଭାସି ନ ବୁଲଇ

 

ଏବେ ହେଲେ ଶୂନ୍ୟେ ଧଉଳିଚୂଳେ ।

ଲିଙ୍ଗରାଜ ତୁଙ୍ଗ ମନ୍ଦିର ରହିଛି,

 

ରହିଛି ତ ସେହି ଧଉଳିଗିରି,

ରହିଛି ଅନାଇଁ ଖଣ୍ଡଗିରି ଦରୀ,

 

ନ ଗାଏ କି ମୁଖେ ସେ ଦିନ ଶିରୀ !

ନ କହେ କି ସେହୁ ହୃଦ ବିଦାରିଣ

 

କଳିଙ୍ଗ ପୁରାଣ ମହିମା କଥା ?

ଅତୀତ କାଳର ଗୌରବ ବଖାଣି

 

ନ ଆଣେ କି ପ୍ରାଣେ ଦାରୁଣ ବ୍ୟଥା ?

ପ୍ରତି ଶିଳାଖଣ୍ଡେ ପ୍ରତି ଟାଙ୍ଗି ମୁଣ୍ଡେ

 

ନ ଅଛି କି ଗୁନ୍ଥା କୀରତିରାଜି ?

ଏତେ ଥାଇ ଥାଇ ଏତେ ଦେଖି ଦେଖି

 

ଏ ଦେଶ ସପନ ନ ଯାଏ ଭାଜି !

କହ ତେବେ ମୋତେ, ଧଉଳି ପାହାଡ଼,

 

କହ ଭଲା ବାରେ ମୋ ମୁଖ ଚାହିଁ,

ଧଉଳି ଦେଶରେ ସେ ଦିନ ଜୀବନ

 

ଆସିବ କି ଆଉ ଆସିବ ନାହିଁ ।

Image

 

କବି-ସମାଧି *

ନୃପତି ସଚିବ- ନେତା କି ହେ ତୁମ୍ଭେ

ରାଜନୀତି-ବିଶାରଦ

ଦେଶ-ହିତ ପାଇଁ ଢାଳି ଦେଉଥାଅ

ସକଳ ଶକ୍ତି ସମ୍ପଦ ?

ତିଳେ ଦୟା ନାହିଁ ହୃଦେୟ ତୁମ୍ଭର

କେତେ ପ୍ରାଣୀ ପେଷ ରଣେ,

କାହୁଁ ବା ଜାଣିବ କି ଗୌରବ ଅଛି

ନିର୍ଜନ ସମାଧି ଜଣେ !

ଜୀବିତ ମାନବେ ଶିଖ ଆଗ କରି

କରିବା ପାଇଁ ଆଦର,

ତା ପଛରେ ସିନା ବୁଝି ପାରିବ ହେ

ମହତ୍ତ୍ୱ ମୃତ ଜନର ।

ଅଟ କି ହେ ତୁମ୍ଭେ ବ୍ୟବହାରାଜୀବ ?

ଆସ ନାହିଁ ଏହା ପାଶେ,

ତବ ତୀକ୍ଷ୍‌ଣ ଦୃଷ୍ଟି ବିରସ ବଦନ

ଗାଉ ଯୋଗ୍ୟତର ବାସେ-

ଅର୍ଥ ପାଇଁ ଯହିଁ ଯୁଝୁଥାନ୍ତି ନରେ

ଗୃଧ୍ର ପରି ପ୍ରାଣପଣେ,

ସେ ପରମ ସ୍ଥାନେ ଯାଅ ବେଗ କରି

ରହ ଏଥି କି କାରଣେ ?

ତୁମ୍ଭେ କି ମହନ୍ତ ବିଳାସ ବିହାରୀ ?

ଦିଶୁଛ କୁସୁମ ପରି,

ଆସ, ବେଶି ପାଶେ ଆସି ନ ମଣ ହେ

ଏହା ଆସନ ତୁମ୍ଭରି ।

ତୁମ୍ଭେ ଅବା ବୀର ବୀରଦର୍ପପୂର୍ଣ୍ଣ

ସୈନିକ ପୁରୁଷ ଜଣେ

ଇତର ପ୍ରାଣୀଙ୍କୁ ତୃଣ ପରି ପରା

ମଣୁଥାଅ କ୍ଷଣେ କ୍ଷଣେ ?

କରୁଁ କରବାଳ ରଖି ଆସ ଦୂରେ

ସରଳ କୃଷକ ପରି

ସରଳ ବସନେ ବିରଳ ଭୂଷଣେ

ଆସ ଯଷ୍ଟି ଖଣ୍ଡି ଧରି ।

ବୈଜ୍ଞାନିକ ତୁମ୍ଭେ ? ସଦା ଉଜାଗରେ

ଶତ ଶାସ୍ତ୍ରେ ଦିଅ ମନ

ନିଖିଳ ବିଶ୍ୱରେ ତୁମ୍ଭ ନୟନରେ

ଜ୍ଞାନ ଏକା ସାର ଧନ ।

ମାତୃ ସମାଧିରେ ଫୁଲଟିଏ ଥିଲେ

ଖଣ୍ଡ ଖଣ୍ଡ କରି କାଟି,

ମନେ ମନେ ଭାବ ବିଜ୍ଞାନ-ବିଭବ

ଚଉଦିଗେ ଦେଲ ବାଣ୍ଟି ।

ବାସ୍ତବ ରାଜ୍ୟରେ ଇନ୍ଦ୍ରିୟ ସଂସାରେ

ସଦା ବାନ୍ଧିଅଛ ମନ,

ଇନ୍ଦ୍ରିୟ ଅତୀତ ଧରମ ଜଗତ

ତିଳେ ନ ଦେଖ ସ୍ୱପନ ।

ସମାଧିନିବାସୀ ପୁରୁଷ ମଙ୍ଗଳେ

କହୁଛି ବିନୟ କରି

ଯାଅ ଆନ ସ୍ଥାନେ, ଏଥି ରହି ଆଉ

ନ ନିଅ ଏ ଶାନ୍ତି ହରି ।

ଆସୁଛନ୍ତି ପରା ଦାର୍ଶନିକ ଜଣେ

ଦିଶୁଛି ତାଙ୍କ ବଦନ

କିଏ କାହିଁପାଇଁ ଏ ଦରିଦ୍ର କୋଣେ

କଲା ତାଙ୍କୁ ନିମନ୍ତ୍ରଣ !

ଦର୍ଶନ ପଢ଼ନ୍ତି ଦର୍ଶନ ଶ୍ରବଣ-

ଶକତି ନାହିଁ ତାଙ୍କର,

ନିଜକୁ ମଣନ୍ତି ନିଜର ସଂସାର

ନଜକୁ ନିଜ ଈଶ୍ୱର;

ଭାବ ଭକ୍ତି ଅବା ସ୍ନେହ-ପ୍ରୀତି କଥା

ତିଳେ ସେ ହୃଦରେ ନାହିଁ,

ଯୁକତି-ଜମ୍ବାଳେ ଘାଣ୍ଟି ହେଉଥାନ୍ତି

ସବୁ ନୀତି ଭୁଲିଯାଇ;

ତର୍କ କରି କରି ଅହମିକା-ମଦେ

ସଦା ସେ ହୁଅନ୍ତି ଘାରି,

ମଣନ୍ତି ଯୁକତି- ନାବେ ବସି ଅବା

ହେବେ ଭବ-ସିନ୍ଧୁ ପାରି ।

ଆସ ନାହିଁ ଏଥି ଆହେ ଦାର୍ଶନିକ,

ଶୁଅ ଜ୍ଞାନ-ଆବରଣେ,

ନିରର୍ଥକ ଏହି ସମାଧି ପାଶରେ

ଠିଆ ହେବ କିପାଁ କ୍ଷଣେ ?

ଏ କିଏ ଆସନ୍ତି ଧୀରେ ପାଦ ଚାଳି

ବିନୟବୋଳା ବଦନ

ବିରଳ ବସନ କରିଅଛନ୍ତି ସେ

ଶ୍ରୀଅଙ୍ଗ ଶ୍ରେଷ୍ଠ ଭୂଷଣ ?

ସ୍ରୋତସ୍ୱତୀ ତୀରେ ବସି ସେ ଗାଆନ୍ତି

ଗୀତ ଗୁଣୁ ଗୁଣୁ କରି

ସ୍ରୋତସ୍ୱତୀ-ସ୍ରୋତ- ସଙ୍ଗୀତୁଁ ସେ ଗୀତ

ମାଧୁର୍ଯ୍ୟରେ ଯାଏ ବଳି ।

‘କୋଳାହଳ-ଦ୍ୱେଷୀ’ ବିବିକ୍ତ ବିଳାସୀ’

ସଦା ସ୍ୱଭାବ ତାଙ୍କର

ଲଭିବା ଆଗରୁ ତାଙ୍କ ପ୍ରେମ ତାଙ୍କୁ

ଦେବ ନିଜ ପ୍ରେମ ନର

ବାହାର ଜଗତେ ଆକାଶ ପୃଥିବୀ

ପର୍ବତ, ଟଙ୍କ, କାନନ,

ଦେଖି ସେ ନିର୍ଜନେ ମାନସ ନୟନେ

ଦେଖନ୍ତି ଦିବ୍ୟ ସ୍ୱପନ ।

ସରସ ହୃଦୟ ଦିବ୍ୟ ଚକ୍ଷୁ ସଙ୍ଗେ

ଦେଇଛନ୍ତି ବାଗୀଶ୍ୱରୀ,

ତେଣୁ ସେ ସାମାନ୍ୟ ପଦାର୍ଥ ସଙ୍ଗରେ

ଦିଅନ୍ତି ସୁନୀତୀ ଭରି !

ସଂସାରି-ଚକ୍ଷୁରେ ଚିରକାଳ ସେହୁ

ଦିଶନ୍ତି ଦୀନ ଦୁର୍ବଳ,

ସଂସାରୀ ମଣଇଁ ବୃଥା ସେ ସାରନ୍ତି

ଦୁର୍ଲ୍ଲଭ ବୟସ ବଳ ।

ସେ କିନ୍ତୁ ଏଥିରେ ନ ଟଳନ୍ତି ଧୀର

ଶ୍ଳାଘ୍ୟ ମଣନ୍ତି ଜୀବନ

ଭୁଞ୍ଜନ୍ତି ସେ ସୁଖ ଅନ୍ୟ ଜ୍ଞାନ ବଳେ

ପାଏ ଯାର ଆସ୍ୱାଦନ-

ଆସ ଆସ ତୁମ୍ଭେ ହେ ପୁରୁଷରତ୍ନ

କବିତା-କୁଞ୍ଜ କୋକିଳ,

ସମ୍ପଦେ ବିପଦେ ତୁମ୍ଭ ପାଇଁ ଏକା

ଏହି ପୀଠ ଅନାବିଳ ।

ଶୋଇ ରହ ଏଥି ଏ ନିର୍ଜନ ଦେଶେ

ନାହିଁ ପ୍ରାଣୀକଣ୍ଠସ୍ୱନ

ଅଥବା କୁଟୀର ବିରଚି ଏ ଦେଶେ

ଆନନ୍ଦେ ଯାପ ଜୀବନ ।

*

ଇଂରେଜ କବି Wordworth ଙ୍କ ‘Poets’ ‘Epitaphi’

Image

 

ଖୋରଧା ପ୍ରଥମ ଦର୍ଶନେ *

କି ଭୂମିରେ ଆଜି ଦେଲି ମୋର ପାଦ ।

କି କଲି କି କଲି କେଡ଼େ ଅପରାଧ ।

ଯେ ସେ ଭୂମି ନୁହେଁ ଏହି କ୍ଷୁଦ୍ର ସ୍ଥାନ,

କେଡ଼େ ସୁଦିନର ଗୌରବ ଶ୍ମଶାନ ।

ଯହିଁ ଟେକି ଦେଲେ ଟେକାଖଣ୍ଡେ ଏଥି

ମିଳିଯିବ ବୀର ଅସ୍ଥି ମେଦ ଗ୍ରନ୍ଥି ।

ପ୍ରତି ରେଣୁ ସଙ୍ଗେ ବୀରର ଶୋଣିତ

କାଳେ କାଳେ ଏଥି ରହିଛି ଲେପିତ,

ପ୍ରତି ଟାଙ୍ଗି ତୋଟା ପୁରାଣ ଦ୍ରୁମରେ

ଲକ୍ଷ୍ୟଭେଦି ଚିହ୍ନ ରାଜଇ ଭାସ୍ୱରେ,

ଶାଳପ୍ରାଂଶୁ ବୀର ପାଇକ ପ୍ରଧାନ,

ଏବେ ଏଥି କରେ ପୂର୍ବକୀର୍ତ୍ତି ଗାନ,

ପକ୍ୱ ଗାଲମୁଚା ତଳେ କର ରଖି

ବରୁଣେଇ ନୀଳ ଶଇଳ ନିରେଖି

ତେଜି ଦୀର୍ଘ ଶ୍ୱାସ କେତେ ପରକାରେ

କେତେ ପୂର୍ବ କୀର୍ତ୍ତି ପୂର୍ବସ୍ମୃତି ଝୁରେ,

ଛାମୁଙ୍କ ବୀରତ୍ୱ, ସାମନ୍ତଙ୍କ ଟାଣ

ଥାଟରାଜାଙ୍କର ଅବ୍ୟର୍ଥ ନିଶାଣ,

ଜେମାଙ୍କ ମୃଗୟା, ଅଶ୍ୱ ସଞ୍ଚାଳନ,

ବ୍ୟାଘ୍ର ବନ୍ୟମୃଗେ ତୀବ୍ର ଆକ୍ରମଣ,

ଶତ ଶିଳ୍ପକଳା-କୌଶଳେ କୁଶଳା,

ମର୍ତ୍ତ୍ୟେ ଅବତୀର୍ଣ୍ଣା ସାକ୍ଷାତ କମଳା,

ମଣିମାଙ୍କ ପରପେଟଚିହ୍ନା ଦୟା

ଦୁଃଖୀ ରଙ୍କୀ ପ୍ରତି ନିୟତ ଅଭୟା,

ସେକାଳ ଉଆସ ଆନନ୍ଦ ଉଲ୍ଲାସ,

ଦାନ ଧର୍ମସ୍ରୋତ ବୁହା ବାରମାସ;

ଧନଧାନ୍ୟେ ପୂର୍ଣ୍ଣ ଘର ବିଲ ବାରି,

ପ୍ରତି ତୁଣ୍ଡେ ଭାତ କି ଭାଟ ଭିକାରି,

ଭୂମି ସବୁକାଳେ ସୁଜଳା ସୁଫଳା,

ଜଳଚର ଜୀବେ ନଦୀ ପାଟ ଭରା,

ଦେହେ ମନେ ଅବା କି ଅମିତ ବଳ-

କି ଅଚିନ୍ତା ଶାନ୍ତି ଆନନ୍ଦ ନିର୍ମଳ !

ଏ କି ହେ ପାଇକେ, ଆଉ କିବା କଥା

କହିବାକୁ ପୁଣି ଟେକୁଅଛ ମଥା ?

ଏଡ଼େ ରକ୍ତବର୍ଣ୍ଣ ଦିଶଇ ବଦନ,

କି ଗୌରବେ ଅବା ଭରିଅଛି ମନ ।

କି ଅପୂର୍ବ ସ୍ମୃତି ଉଠୁଅଛି ଜାଗି

ଅବା କାହିଁ ପାଇଁ ଉଠିଅଛ ରାଗି !

ମନେ ପଡ଼ୁଅଛି ନିଜ ଯୁଦ୍ଧ କଥା,

ସହିଛ କିପରି ଏହି ବକ୍ଷେ ବ୍ୟଥା ?

ଏ ଭୁଜେ ଭୋଗିଛ ବିପକ୍ଷର ବାଣ,

ଅଙ୍ଗୁଷ୍ଠିର ଅର୍ଦ୍ଧେ କଲ ଅର୍ଘ୍ୟଦାନ,

ଏହି ବକ୍ଷେ ବାଜି ଶତ୍ରୁ-ତୀକ୍ଷଣ ଶର

ନେଲା ମାଂସ ଏହି କ୍ଷତ କଳେବର,

ଢାଲ ତୀର ବାଣ ନଳୀ ବର୍ଚ୍ଛା ଧରି

ହୋଇଛି ଏ କର ଦୃଢ଼ ଲୌହ ସରି,

ଏହି ଗଡ଼ଖାଇ, ଏହି ରାଜବାଟୀ

ଏହି ଦୂରେ ଦିଶେ ବରୁଣେଇ ଘାଟୀ,

ଏହି ଘାଟ ମୁଣ୍ଡେ ଅଳପ ପାଇକେ

ଜଗି ଜିଣୁଥିଲେ ଅସଂଖ୍ୟ ବିପକ୍ଷେ,

ପାହାଡ଼ର ମୋଡ଼େ ଲୁଚି ମାରି ଶର

ବିପକ୍ଷଙ୍କୁ କରୁଥିଲେ ଜରଜର,

ନଳୀନାଦେ ଥିଲେ ମେଦିନୀ କମ୍ପାଇ

ଶତ୍ରୁର ଅନ୍ତରେ ତ୍ରାସ ଉପୁଜାଇ,

ଓଡ଼ିଶାର ରାଜା ଓଡ଼ିଆ ପାଇକ

ହାତେ ଧରି ଓଡ଼ିଶାର ବଇରଖ

ଦୂର କାଞ୍ଚି ରାଜ୍ୟ ବଙ୍ଗଦେଶ ଜିଣି

ଜୟେ କେତେ ଦେଶ ନେଉଥିଲେ କିଣି ।

ତ୍ରିବେଣୀ ତଟରେ ମୁକୁନ୍ଦର ଘାଟ

ଏବେ ପରଶଂସେ ଓଡ଼ିଆର ଥାଟ ।

ଏବେ ଶ୍ରୀମନ୍ଦିରେ କାଞ୍ଚି ଗଣନାଥ

କହନ୍ତି ସେକାଳ ସମର-ବୃତ୍ତାନ୍ତ ।

ଥାଉ ହେ ପାଇକେ, ଥାଉ ସେ ଖବର,

କାହିଁକି ମିଛରେ ପୋଡ଼ିବ ଅନ୍ତର !

କହୁ କହୁ କଥା ରକ୍ତବର୍ଣ୍ଣ ଚକ୍ଷୁ,

କିବା ଊର୍ଦ୍ଧ୍ୱଶ୍ୱାସ ଉଠେ ତବ ବକ୍ଷୁଁ ।

ଫାଟିଯାଏ ଅବା ଛାତି, ହୁଏ ପ୍ରତେ,

କିବା ମର୍ମନ୍ତୁଦ ବ୍ୟଥାର ଆଘାତେ ।

ତବ ଗୀତ ପାଇଁ ନାହିଁ ଆଉ ସ୍ଥାନ !

ତବ ଗାଥା ଲାଗି ନାହିଁ ଦେଶେ କାନ ।

ପୂର୍ବ ଗର୍ବ ଯହିଁ ଏବେ ଶମଶାନ,

ବିଶ୍ୱେ ନିଃସ୍ୱ ନାମେ ଆଜି ହେୟ ମ୍ଳାନ ।

ଯଦି ପୂର୍ବ କଥା ପଡ଼ୁଅଛି ମନେ

କହ ବରୁଣେଇ ବ୍ୟାଘ୍ର ଶିଶୁ କାନେ,

କହ ସେ ସ୍ୱାଧୀନ ହରିଣ ଶାବକେ,

ତା’ ରକ୍ତ ସ୍ପନ୍ଦନେ ବିଜୁଳି ଚମକେ,

ତବ ଗାଥା ଶୁଣି ନିଶ୍ଚେଁ ତା’ ରୁଧିର

ନାଚି ମହୋଲ୍ଲାସେ ଦେବ ପ୍ରତିଗୀର ।

ଦିଗଙ୍ଗନାକୁଳ ଦେବେ କରତାଳି,

ପ୍ରତିଧ୍ୱନି ଦେବ ବରୁଣେଇ ଢାଳି ।

 

*

ଆଜିକାଲିର ଖୋରଧା ସହରର ଏକ କ୍ରୋଶ ଦକ୍ଷିଣରେ ବରୁଣେଇ ପାହାଡ଼ ତଳେ ପ୍ରାଚୀନ ଖୋରଧା ଗଡ଼ର ଶେଷଚିହ୍ନ ସବୁ ରହିଅଛି । ସେ କାଳର ଅନେକଗୁଡ଼ିଏ ମଠ ଓ ରାଜନଅରର ଧ୍ୱଂସାବଶେଷ ଓଡ଼ିଶାର ସ୍ୱର୍ଣ୍ଣଯୁଗର ଦିନକର ଚିତ୍ର ଦର୍ଶକ ଆଖି ଆଗରେ ନଚାଇଦିଏ ।

Image

 

ପୃଥ୍ୱୀରାଜଙ୍କ ପତ୍ର *

 

ପ୍ରତାପ, ପ୍ରତାପବୀର ସ୍ୱଦେଶମଣ୍ଡନ,

ଷାତ୍ରକୁଳ କୀର୍ତ୍ତବୀର୍ଯ୍ୟ ହେ କୀର୍ତ୍ତି ଭାସ୍ୱର,

ରାଜପୁତବଂଶ ରବି ହେ ଶତ୍ରୁ ମର୍ଦ୍ଦନ,

କେମନ୍ତେ କହିବି ଅବା କେଉଁ ଲେଖନୀରେ,

ଲେଖିବି ଏ ମନସ୍ତାପ ! ବକ୍ଷ ଯାଏଁ ଫାଟି,

ଚକ୍ଷୁରୁ ରୁଧିରସ୍ରୋତ ବହି କରେ ଅନ୍ଧ,

ହସ୍ତ ପଦ ଏ ସମ୍ବାଦେ ଆଜି ହେ ଅବଶ ।

ବଚନ ନ ସ୍ଫୁରେ ମୁଖେ, ନଇଁଯାଏ ମଥା,

ଅଳସ, ଅକ୍ଷମ, ଆର୍ତ୍ତ ଆଜି ଏ ଜୀବନ ।

କେମନ୍ତେ ମୁଁ ବୁଝିବି ବା ସତ୍ୟ ଏ ସମ୍ବାଦ !

ସତ୍ୟ ଏ ସମ୍ବାଦ ଅବା ଶତ୍ରୁର କାହାଣୀ

ହୀନବୁଦ୍ଧି ଜନଶ୍ରୁତି ଘୋଷେ ଏ ବାରତା-

ନିଭାଇବା ଲାଗି ଶେଷ କ୍ଷୀଣ ସୁଖ ଆଶା

ରାଜପୁତ ବକ୍ଷେ କରି ଏ କୁଟ ରଚନା ?

କିପରି ପ୍ରତ୍ୟୟ ଯିବି, କେଉଁ ଧନ ଦେଇ

କିଣିଲା ଏ କ୍ରେତା ସେହୁ ମହାମୂଲ୍ୟ ମଣି ।

କାହିଁବା ସଂସାରେ ଧନ, କାହିଁ ବା ସେ ଧନୀ

କିଣିବ ଏ ମହାଧନ-ଅତୁଲ୍ୟ ସମ୍ପତ୍ତି ।

ଯେ ଧନେ କ୍ଷତ୍ରିୟକୁଳ-ସାମନ୍ତ ବୀରତ୍ୱ,

ରାଜପୁତ ରମଣୀର ସତୀତ୍ୱରତନ-

କିଣିଛି କପଟୀ, ତାହା ପ୍ରତାପର ପାଶେ

କିବା ମୂଲ୍ୟହୀନ, ଛାର ଦୀନ ପ୍ରଲୋଭନ ।

କୁହୁକୀ କୁହୁକ ଅବା ଫଳିଛି ଏଥର,

ସେ ମତ୍ତ ମାତଙ୍ଗ ଅବା ଛଳେ କଉଶଳେ

କପଟୀ କପଟ ପାଶେ ପଡ଼ିଅଛି ଧରା ।

ରାଜପୁତ ଗିରିଶୃଙ୍ଗେ ସେ ହର୍ଯ୍ୟକ୍ଷରାଜ,

ପଦବିକ୍ଷେପରେ ତା’ର ନେତ୍ରର ଘୂର୍ଣ୍ଣନେ

ସରୋଷ କଟାକ୍ଷେ ଦମ୍ଭେ, ବୀରତ୍ୱ ହୁଙ୍କାରେ

କମ୍ପୁଥିଲା ଶତ୍ରୁ ବକ୍ଷ ! ସେ କି ଆସି ଶେଷେ

ଶତ୍ରୁ ପଦତଳେ ହେଲା ଆପେ ପୋଷା ଶ୍ୱାନ ।

ଭୁଲିଲା କ୍ଷଣକେ ତାର ଶୌର୍ଯ୍ୟ ବୀର୍ଯ୍ୟ !

କୁଳସମ୍ମାନରେ ସେ କି ଦେଲା ଜଳାଞ୍ଜଳି ।

ବକ୍ଷ ଚିରି ରକ୍ତସ୍ରୋତ ଢାଳି ଗିରି ଗର୍ଭେ

ହୋଇ ଆର୍ତ୍ତ ହୀନବୀର୍ଯ୍ୟ ପଶିଲା ଶରଣ ।

କେମନ୍ତେ ବା ସେ ରୁଧିରଧାରା ଅଙ୍ଗେ ବହି

ଶତ୍ରୁ ପଦପ୍ରାନ୍ତେ ସେହୁ ରଖନ୍ତା ତା ଶିର ?

ସେ ରୁଧିର କ୍ଷାତ୍ର ତେଜେ ମହା ତେଜସ୍କର

ଏ ହୀନ ଆଚାରେ ଘୃଣା ଲଜ୍ଜା ଅପମାନେ

ଆଣି ବୀରବକ୍ଷେ ତାର ବିପ୍ଳବ ତାଣ୍ଡବ,

ରଖିଥାନ୍ତା ମଥା ଉଚ୍ଚେ ଗୌରବେ ଗରବେ ।

ହେ ପ୍ରତାପ, କି କହିବି କିବା ଗର୍ବଭରେ

ଶୁଣୁଥିଲି ଏଥି ତବ ଗୌରବ-କାହାଣୀ

କହନ୍ତି ସାମନ୍ତେ ଯେବେ ପରିଷଦେ ବସି-

‘ଏକାକୀ ପ୍ରତାପ ଶତ ସହସ୍ରର ସରି,’

ତା’ ନୟନେ ବିଦ୍ୟୁଜ୍ଜ୍ୟୋତି, ବକ୍ଷେ ସିଂହବଳ;

ଶରୀରେ ଅମିତ ତେଜ, ଅଜେୟ, ଅଭୟ,

ସରିଛି ମୋ କ୍ଷାତ୍ର ତେଜ ଦାସତ୍ୱବନ୍ଧନେ,

ତେବେହେଁ ମୋ ବକ୍ଷ ଦର୍ପେ ଉଠୁଥିଲା ନାଚି ।

ଶୁଣେ ଯେବେ ସିଂହ ପରି ଶୃଙ୍ଗୁ ଶୃଙ୍ଗାନ୍ତରେ

ପୁତ୍ର କନ୍ୟା ସଙ୍ଗେ ଘେନି ପ୍ରାଣପ୍ରିୟା ସତୀ

ସ୍ନେହେ ଯେହୁ ନାରୀ, ବୀର୍ଯ୍ୟେ ପୁରୁଷର ସରି-

ପ୍ରତାପ ଭ୍ରମଇ ସୁଖେ ସ୍ୱଦେଶ ଗୌରବେ

ଏଡ଼ି ଅବହେଳେ ଶତ୍ରୁ ଶତ ମାୟାଜାଲ,

ଶ୍ୱାପଦସଙ୍କୁଳ ବନେ ଶ୍ୱାପଦଙ୍କ ଭୟେ

ସନ୍ତାନେ ବିଟପୀଶାଖାବିଲମ୍ବୀ ଅର୍ଗଳେ

ବୃତ୍ତମାଳେ ବନବାସୀ ବର୍ବରଙ୍କ ପରି

ରଖି ରଜନୀରେ ଆପେ ଘୂରୁଅଛି ବନେ

ସାଧିବାକୁ ଆତ୍ମବ୍ରତ,-ବକ୍ଷ ଫାଟେ ମୋର,

କିବା ମହାଭାବେ ମୋର ପୂରିଯାଏ ପ୍ରାଣ ।

କୃତାଞ୍ଜଳିପୁଟେ ଧୀରେ ଜଣାଏ ମୋ ଅଳି

ବିଭୁପାଶେ ଢାଳିବାକୁ ତବ ପୁଣ୍ୟଶିରେ

ଅଭୟ ଆଶିଷଧାରା ସ୍ୱରଗ ସମ୍ପଦ-

ରଖିବାକୁ ତବ ଟେକ ଏ ମହୀମଣ୍ଡଳେ

ଉଦ୍ଧରି ମିବାର-ଶିରୀ ମିବାର-ଗୌରବେ ।

‘ବିପଦ ପ୍ରତାପ-କରେ କ୍ରୀଡ଼ନକ ସମ,

ଭୟ, ପ୍ରଲୋଭନ କିବା ନ ଜାଣେ ପ୍ରତାପ’

ଶୁଣେ ଯେବେ ଜନମୁଖେ, କି ଆଶା ସାହସ

ଏ ମୁମୂର୍ଷୁ ପ୍ରାଣେ ଉଠେ ! କେତେ ମୁଁ ଅଟ୍ଟାଳି

ତୋଳଇ ଆକାଶେ । କେତେ ମଧୁର ସ୍ୱପନେ

ମୁଗ୍‌ଧ ହୁଏ ପ୍ରାଣ, ତାହା କି କହିବ ଆଜି ।

ଘାଟଯୁଦ୍ଧେ କି ସାହସ, କି ସଂଯମ, ବଳ,

କିବା ସମର-ନୈପୁଣ୍ୟ, ହେ ରାଜସନ୍ନ୍ୟାସୀ,

କ୍ଷାତ୍ର-କୁଳରବି, ଭବେ ଦେଲ ହେ ଦେଖାଇ ।

ସ୍ୱଦେଶର ସ୍ୱାଧୀନତା କିବା ମହାଧନ,

ସେ ଧନ ହରାଇ ଦେଶ କି ଦୀନ ଦୁର୍ବଳ,

କିବା ହେୟ, ପର-ପଦାନତ, ଶିରୀହୀନ !

ସେ ଧନ, ସେ ରାଜଶିରୀ ଲାଭ ଆଶେ ବୀର,

ଶରୀରୁ ଶୋଣିତ ଦେଇ କରିଛି ତର୍ପଣ

ପିତୃପିତାମହଙ୍କର । ସେ ଗୌରବଗାଥା,

ସେହି ବୀରତ୍ୱକାହାଣୀ କାଳେ କାଳେ ଭବେ

ସଞ୍ଚରିବ ଲୋକମୁଖେ । ପତିତପାବିନୀ

ପୁଣ୍ୟ ଗଙ୍ଗାଧାରା ସରି ଦେବ ମହାଶକ୍ତି,

ସାହସ ଉତ୍ସାହ ଦୀନହୀନ ମୃତପ୍ରାଣେ !

ପରାଧୀନ କେତେ ଜାତି ସେ ଗାଥା ସ୍ମରଣେ

ଦାସତ୍ୱ ଶୃଙ୍ଖଳୁ ଆପେ ଲଭିବେ ମୁକତି

ଯୁଗେ ଯୁଗେ ସେହି କଥା ଅମୃତର ସରି;

ଦ୍ୱାବିଂଶ ସହସ୍ର ସୈନ୍ୟ ସଙ୍ଗେ ଘେନି ବୀର

କ୍ଷାତ୍ର କୁଳାଙ୍ଗାର ହୀନ ମାନସିଂହ ସଙ୍ଗେ

ସେଲିମକୁ ଯେ ଲାଞ୍ଛନା ଦେଇଛ ସଂଗ୍ରାମେ,

ସ୍ୱର୍ଣ୍ଣାକ୍ଷରେ ଲେଖାହେବ ପୃଥିବୀ ବକ୍ଷରେ ।

ଯେ ଅପୂର୍ବ ଆତ୍ମୋତ୍ସୋର୍ଗ ରଣୋନ୍ମାଦେ ମାତି

କ୍ଷିପ୍ତ ଗ୍ରହରୂପେ ଘାଟେ ଘୂରିଲ ପ୍ରତାପ,

ତାହାର ତୁଳନା ସେହୁ । ସେହି ଦିନୁ ଘାଟ

ଭାରତବାସୀର ହେଲା ମହାତୀର୍ଥସ୍ଥଳ ।

ଯେବେ ଭୂଭାରତେ ହେବେ ଆର୍ଯ୍ୟ ହୀନବଳ,

ପରମୁଖାପେକ୍ଷୀ, ପରପଦାଙ୍କାନୁସାରୀ,

ଏ ପବିତ୍ର କ୍ଷେତ୍ରେ କରି ତବ ପ୍ରାଣପୂଜା

ପାଇବେ ଚେତନା, ପୁଣି ଆର୍ଯ୍ୟନାମେ କାର୍ଯ୍ୟେ

ଅବନୀପୃଷ୍ଠରେ ଦିନେ ଲଭିବେ ପ୍ରତିଷ୍ଠା ।

ତବ ପୁଣ୍ୟସ୍ମୃତିପୂତ ଘାଟର କାହାଣୀ

କାଳେ କାଳେ ନଚାଇବ କବିର କଳ୍ପନା,

ସମର-ବିଳାସୀ ବୀର-ଧମନୀ ଶୋଣିତ,

ଦେଶଭକ୍ତ-ଶ୍ରାନ୍ତ ପ୍ରାଣେ ଦେବ ଅଗ୍ନିକଣା ।

ହିନ୍ଦୁର ଭରସା ହିନ୍ଦୁ, ହିନ୍ଦୁ ଶତ୍ରୁ ହିନ୍ଦୁ;

ହିନ୍ଦୁ ବିନା କାର ସାଧ୍ୟ ଏ ମହୀମଣ୍ଡଳେ

ଏ ଭାରତେ-ଏ ଦୁର୍ଗମ ଦୁର୍ଗେ-ଦେବ ପାଦ,

ପାଞ୍ଚି ଅମଙ୍ଗଳ ପିଣ୍ଡେ ରଖିବ ପରାଣ ?

ଗଲେ ପୃଥ୍ୱୀରାଜ, ଗଲା ଦ୍ରୋହୀ ଜୟଚନ୍ଦ୍ର

କାଳ ସାଗରରେ ଭାସି ବୁଦ୍‌ବୁଦ୍‌ ସମାନ,

ଥାନେଶ୍ୱରେ ପୋତା ହେଲା କଳଙ୍କର ସ୍ତମ୍ଭ

ଦେଶଦ୍ରୋହୀ ଭ୍ରାତୃହନ୍ତା ବିଜୟ ନିଶାଣ !

ସେ ପାପର ଫଳେ ଅସ୍ତ ଗୌରବ-ତପନ

ଚିରକାଳ ହିନ୍ଦୁମୁଖେ ବୋଳି ଦୁଃଖମସୀ,

ସେ କଳଙ୍କସ୍ରୋତେ ଭାସିଗଲା କେତେ ଶୌର୍ଯ୍ୟ,

କେତେ ବୀର୍ଯ୍ୟ, କି ବୀରତ୍ୱ, କେତେ ବା ସାମର୍ଥ୍ୟ

କେତେ ଯୁଗ ଯୁଗାନ୍ତର ତପସ୍ୟାର ଫଳ

ଶ୍ରୀହୀନ ଅନାଥ କରି ଏ ପୁଣ୍ୟ ଭାରତ ।

କି ଅକ୍ଷୟ ତପୋବଳେ ବାପ୍‌ପା ରାଓ କୁଳେ

ଜନ୍ମିଛ, ହେ ଦେବ, କରି ସେ କୁଳ ଉଜ୍ଜ୍ୱଳ ।

ରାଜପୁତବଂଶେ ଅବା କି ଅଛି ହେ ଆଜି

ତବ ବିନା ? ସର୍ବେ କ୍ରୀତ-କ୍ଷୁଦ୍ର ମୁଦ୍ରାଖଣ୍ଡେ,

କେହୁ ବା ସ୍ୱବୃତ୍ତି ଲାଗି, କେହୁ ଭୂଖଣ୍ଡରେ ।

ପବିତ୍ର ଏ ବଂଶ ଯାର କାଳେ କାଳେ ଖ୍ୟାତି

ହେଲା କି କୁକ୍ଷଣେ ବୀର, ଚିରକଳଙ୍କିତ ।

କି କହିବି ? ରାଜପୁତକନ୍ୟା ହେଲା ଆଜି

ପିତ୍ରାଦେଶେ ଯବନର ଅଙ୍କବିଳାସିନୀ !

ସତୀତ୍ୱ ସମ୍ମାନେ ଯେହୁ ଅଙ୍ଗ ଦେଲେ ଢାଳି

ଜହର ଅନଳେ ଧ୍ୟାୟୀ ପତି ଶ୍ରୀଚରଣ

ରଖିବାକୁ ପତିପୁତ୍ର ବଂଶର ଗରିମା,

ସେମାନେ ଦେବାକୁ ଶକ୍ତି ଶତ୍ରୁ-ସିଂହାସନେ

ଲୋଡ଼ା ହେଲେ ପଣ୍ୟରୂପେ ଯବନ ବଜାରେ ।

ପିତା-ପତି-ପୁତ୍ର ହେଲେ ବିପଣୀ-ବିକ୍ରେତା !

ପାପର ଫଳ ଶତ୍ରୁ ଭୋଗିବ ମୁକର,

ଆପେ ଅବା ଆପଣାର ବଂଶ ଏ ଅନଳେ

ଦଗ୍‌ଧ ହୋଇ ଦିନେ ନିଶ୍ଚେଁ ହେବ ଛାରଖାର

ଭସ୍ମମୟ ! ଏ କପଟ, ଏ ବିଳାସ ଦିନେ

ଧରିବ ସଂହାରମୂର୍ତ୍ତି ! ଏ କି ରାଜୋଚିତ ?-

ସତୀତ୍ୱମର୍ଯ୍ୟାଦା ସାରି ସାଧେ ନିଜ ସ୍ୱାର୍ଥ !

ଏ ପାପେ କି ସିଂହାସନ ନ ଟଳିବ ଦିନେ ?

କିଣିଛି କି ଶତ୍ରୁଭୂମି ଚିରକାଳ ପାଇଁ ?

ଚଞ୍ଚଳା ସୌଭାଗ୍ୟଲକ୍ଷ୍ମୀ ହେବେ କି ଅଚଳା ?

ସେବେଳେ ତ ଅକଳଙ୍କ ବଂଶ ହେବ ଲୋଡ଼ା

ସ୍ଥାପିବାକୁ ରଜପୁତ ବଂଶ ଏ ଭାରତେ ।

ନରାଧମ ଭଗବାନ ଦେଲା ଯେ କଳଙ୍କ

ପହିଲେ, ଗ୍ରାସିଛି ତାହା ସମଗ୍ର ଏ ଜାତି;

ତବ ବିନା, ହେ ପ୍ରତାପ, କିଏ ଅଛି ଆଉ ?

ରଖ ଆଜି ବଂଶଶୀରୀ; ତୁମ୍ଭେ ତ ପାବକ,

ହୁଅ ହେ ପାବକ ପରି ଆଜି ଊର୍ଦ୍ଧ୍ୱଶିଖ;

ନ ଲୋଡ଼ ସୁଲିଳଧର୍ମ-ନ ସରୁ ମହତ୍ତ୍ୱ ।

ସେ ମହତ୍ତ୍ୱ କାଳେ ହେବ ଚିରସମୁଜ୍ଜ୍ୱଳ,

ବିସ୍ମୟେ ଦେଖିବ ବିଶ୍ୱ ଏ ଅପୂର୍ବ କୀର୍ତ୍ତି ।

କିଅବା ପାର୍ଥିବ ଲୋଭ, ଲାଭ ପ୍ରଲୋଭନ

ଭୁଲାଇବ ତବ ମନ ହେ ବୀର ପ୍ରତାପ ।

ରାଜୋଚିତ ପରିଚ୍ଛଦ ବସନ ଭୂଷଣ

ଅଶନ, ଆସନ ସବୁ ଚିତୋରର ହିତେ

ତେଜିଛ, ନେଇଛ ଦୈନ୍ୟ ଆପେ ପ୍ରାଣ ଭରି

କି ମହା ଗୌରବ ରୂପେ ନିଜ ମସ୍ତକରେ ।

କୁଶାସନ, କୁଶଶଯ୍ୟା, ବନ୍ୟ ପର୍ଣ୍ଣପୁଟେ

ଚଳେ ଯାର ନିତ୍ୟ କାର୍ଯ୍ୟ, ସେ ପ୍ରତାପ କିପାଁ

ପର ପାଶେ ନତ କରେ ଆଜି ନିଜ ମଥା !

ଏ ରହସ୍ୟ, ଏ ଜଟିଳ ପ୍ରଶ୍ନର ସମାଧା

କେ କରିବ କାହିଁ ମୋତେ ଦିଶୁନାହିଁ ପାଶେ !

ବାପ୍‌ପା ରାଓ ବାଦଲର ଯୋଗ୍ୟ ବଂଶଧର,

ହେ ସମରସିଂହ-କୁଳ-ଅମର-ନନ୍ଦନ,

କି କହିବି ମର୍ମବ୍ୟଥା ? ତୁମ୍ଭେ ମହାପ୍ରାଣ,

ଦେଖାଅ ଯାବତ ପିଣ୍ଡେ ବହେ ପ୍ରାଣବାୟୁ

ସେ ମହାପ୍ରାଣତା, ରହୁ କାଳେ କାଳେ ଭବେ

ଚିତୋରର-ଭାରତର ଅକ୍ଷୟ ଗୌରବ,

ତବ ଶୌର୍ଯ୍ୟପୁତ ଏହି ଗିରି ଆରାବଳୀ

ଘୋଷୁ ତବ ଆତ୍ମୋତ୍ସର୍ଗ ଅତୁଳ ପ୍ରତିଭା

କରି ଏ ଭାରତ ଭବେ ଅଜେୟ ଅଭୟ ।

 

*

ପୃଥ୍ୱୀରାଜ ବିକାନୀର ଅଧିପତିଙ୍କ କନିଷ୍ଠ ଭ୍ରାତା । ଇଚ୍ଛା ବିରୁଦ୍ଧରେ ଅନନ୍ୟୋପାୟ ହୋଇ ତାଙ୍କୁ ମାଡ଼ ଓ ଆର-ଅଧିପତି ମଲ୍ଲଦେବଙ୍କ ଦୃଷ୍ଟାନ୍ତର ଅନୁକରଣ କରି ଆକବରଙ୍କ ଅଧିନତା ସ୍ୱୀକାର କରିବାକୁ ପଡ଼ିଥିଲା । ପୃଥ୍ୱୀରାଜ ସେକାଳର ଜଣେ ଅସାଧାରଣ ବୀର ଓ ସୁକବି ବୋଲି ପ୍ରସିଦ୍ଧି ଲାଭ କରିଥିଲେ । ପ୍ରତାପ ନାନା ବିପଦ ଭିତରେ ଅବିଚଳିତ ଥାଇ ସୁଦ୍ଧା ନିଜ କନ୍ୟାର ଖାଦ୍ୟ ପିଷ୍ଟକଖଣ୍ଡ ବନ୍ୟ ବିଡ଼ାଳ ନେଇଯିବାରୁ ଯେପରି ଅତିଶୟ ଅଧୀର ହୋଇ ଆକବରଙ୍କ ନିକଟକୁ ଶାନ୍ତିଭିକ୍ଷା କରି ପତ୍ର ଲେଖିଥିଲେ, ତାହା ଏକାବେଳେକେ ତାଙ୍କ ସ୍ୱଭାବବିରୁଦ୍ଧ କାର୍ଯ୍ୟ ବୋଲି ବୋଧହୁଏ । ଏପତ୍ରପ୍ରାପ୍ତିରେ ଆକବରଙ୍କ ରାଜ୍ୟର ଚତୁର୍ଦ୍ଦିଗରେ ଆନନ୍ଦ ଉତ୍ସବ ଲାଗିଲା । ବୀରପୁରୁଷ ସୁକବି ପୃଥ୍ୱୀରାଜ ଏ ସମ୍ବାଦରେ ମର୍ମାହତ ହୋଇ ପ୍ରତାପଙ୍କୁ କବିତାକାରରେ ଖଣ୍ଡିଏ ପତ୍ର ଲେଖିଥିଲେ ।

Image